ସ୍ୱଚ୍ଛ ଭାରତ ମିଶନକୁ ପୂରିଲା ୧୦ ବର୍ଷ

ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ 'ସ୍ୱଚ୍ଛତା ହିଁ ସେବା ୨୦୨୪' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

‘ସ୍ୱଚ୍ଛତା ହିଁ ସେବା ୨୦୨୪’ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୦୨/୧୦: ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ‘ସ୍ୱଚ୍ଛତା ହିଁ ସେବା ୨୦୨୪’। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ମିଶନ’ର ୧୦ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଉଛି। ‘ସ୍ୱଚ୍ଛତା ହିଁ ସେବା ୨୦୨୪’ର ବିଷୟବସ୍ତୁ ହେଉଛି ‘ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଅମୃତ ଏବଂ ଅମୃତ ୨.୦, ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନ ଏବଂ ଗୋବର୍ଦ୍ଧନ ଯୋଜନା ଅଧୀନରେ ୧୫ଟି କମ୍ପ୍ରେସଡ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରକଳ୍ପ ସମେତ ୯୦,୬୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଟଙ୍କାର ପରିମଳ ଏବଂ ସ୍ୱଚ୍ଛତା ସମ୍ବନ୍ଧୀୟ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଗାନ୍ଧୀଜୀ ଏବଂ ଦେଶର ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ୱମାନେ ଭାରତର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ଆମକୁ ସେହି ସ୍ୱପ୍ନକୁ ପୂରଣ କରିବାକୁ ପ୍ରେରଣା ଦେଉଛି।

ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷର ଯାତ୍ରା ସମ୍ପର୍କରେ ଆଲୋକପାତ କରି ସେ ସାଧାରଣ ନାଗରିକ, ସଫେଇ କର୍ମଚାରୀ, ଧାର୍ମିକ ନେତା, କ୍ରୀଡ଼ାବିତ୍, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଗଣମାଧ୍ୟମକୁ ଏହି ମିଶନକୁ ନିଜର ଭାବେ ଗ୍ରହଣ କରି ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହି ଅଭିଯାନକୁ ଆଗେଇ ନେବାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପୂର୍ବତନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ସ୍କୁଲ ପିଲାଙ୍କ ସହ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛ ଭାରତର ଭାବନାକୁ ସୁଦୃଢ଼ କରିବା ପାଇଁ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।