ଅପରେସନ୍ ଅଲମାସ୍: ୮୦ ଜଣ ସୈନିକ ମୃତ

ଗ୍ୱାଦରରେ ବିଏଲ୍‌ଏଫ୍‌ର ବଡ଼ଧରଣର ଆକ୍ରମଣ

ଲାହୋର, ୨୮/୧୦: ବଲୋଚିସ୍ତାନର ବିଚ୍ଛିନ୍ନତାବାଦୀ ସଂଗଠନ ବଲୋଚିସ୍ତାନ ଲିବରେସନ୍ ଫ୍ରଣ୍ଟ ଦାବି କରିଛି ଯେ ଗ୍ୱାଦର ଓ ଏହାର ଆଖପାଖ ଅଞ୍ଚଳରେ ଚାଲିଥିବା ଏକ ସାମରିକ ଅଭିଯାନ ‘ଅପରେସନ୍ ଅଲମାସ୍’ରେ ପାକିସ୍ତାନ ସେନା ଓ ଗୁପ୍ତଚର ବିଭାଗର ୮୦ରୁ ଉର୍ଦ୍ଧ୍ୱ କର୍ମଚାରୀ ନିହତ ହୋଇଛନ୍ତି।

ଅକ୍ଟୋବର ୨୭ରେ ବିଏଲ୍‌ଏଫ୍ ପ୍ରବକ୍ତା ମେଜର ଗ୍ୱାହରାମ୍ ବଲୋଚଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ବିବୃତି ଅନୁଯାୟୀ, ଏହି ଅଭିଯାନ ଅକ୍ଟୋବର ୨୨ରୁ ଆରମ୍ଭ ହୋଇଥିଲା। ଏଥିରେ ପାକିସ୍ତାନ ସେନାର ସାମରିକ ଘାଟି, ଗୁପ୍ତଚର କାର୍ଯ୍ୟାଳୟ ଏବଂ ସୁରକ୍ଷା ପୋଷ୍ଟଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

ବିଏଲ୍‌ଏଫ୍ ଦାବି କରିଛି ଯେ ଏହି ଆକ୍ରମଣରେ ପାକିସ୍ତାନ ସେନା, ଏସ୍‌ଏସ୍‌ଜି କମାଣ୍ଡୋ, ସାଇନ୍ୟ ଗୁପ୍ତଚର ଅଫିସର ଏବଂ ସୁରକ୍ଷା ବାହିନୀର ୮୦ରୁ ଅଧିକ ସଦସ୍ୟ ପ୍ରାଣ ହରାଇଛନ୍ତି।

ସଂଗଠନର ଦାବି ଅନୁଯାୟୀ, ସେମାନଙ୍କ ଲଢ଼ୁଆମାନେ ୧୨ଟି ସଶସ୍ତ୍ର ଗାଡ଼ି ଓ ଯୋଗାଣ ଟ୍ରକ୍‌ ନଷ୍ଟ କରିଛନ୍ତି। ୪ଟି କ୍ୱାଡକପ୍ଟର ଏବଂ ୨ଟି ନଜରରଖା ସର୍ଭେଲାନ୍ସ ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଛନ୍ତି।

ଅଭିଯାନ ସମୟରେ ବିଏଲ୍‌ଏଫ୍ ଲଢ଼ୁଆମାନେ ୨ଟି ଥାନାକୁ ନିଜ ନିୟନ୍ତ୍ରଣକୁ ନେଇ ସେଠାରୁ ଅସ୍ତ୍ରଶସ୍ତ୍ର ଜବତ କରିଥିବା ଦାବି କରିଛନ୍ତି। ଗ୍ୱାଦରରେ ଥିବା ପ୍ରମୁଖ ଫ୍ରଣ୍ଟିଅର୍ ୱର୍କସ ଅର୍ଗାନାଇଜେସନ୍ କ୍ୟାମ୍ପ୍, ଗାବ୍‌ଦ ଏବଂ ରିମ୍‌ଦାନ୍ ଅଞ୍ଚଳରେ ଥିବା ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ୍ କରାଯାଇଥିଲା।

ସେନା ସହ ଭୀଷଣ ଲଢ଼େଇ ମଧ୍ୟରେ ବିଏଲ୍‌ଏଫ୍ ଲଢ଼ୁଆମାନେ ମୁଖ୍ୟ କ୍ୟାମ୍ପ୍‌କୁ ୨୦ ଘଣ୍ଟାରୁ ଅଧିକ ସମୟ ନିଜ ନିୟନ୍ତ୍ରଣରେ ରଖିଥିଲେ।

ମୁଖ୍ୟ କଥା ହେଉଛି, ଏହି ସମଗ୍ର ସାମରିକ ଯୋଜନା ଓ ସଂଘର୍ଷ ‘କମାଣ୍ଡର ଅଲମାସ୍ ବଲୋଚ’ଙ୍କ ନାମରେ ‘ଅପରେସନ୍ ଅଲମାସ୍’ ଭାବେ ନାମିତ କରାଯାଇଛି। ଅଭିଯାନର ରଣନୀତି ପ୍ରସ୍ତୁତି ଏବଂ ଯୁଦ୍ଧକ୍ଷେତ୍ରରେ ନେତୃତ୍ୱ ନେବାରେ କମାଣ୍ଡର ଅଲମାସ୍‌ଙ୍କର ମୁଖ୍ୟ ଭୂମିକା ରହିଥିଲା ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ବିଏଲ୍‌ଏଫ୍ ପ୍ରବକ୍ତା ମେଜର ଗ୍ୱାହରାମ୍ ବଲୋଚ ଚେତାବନୀ ଦେଇଛନ୍ତି ଯେ ଆଗାମୀ ଦିନରେ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନ ଏବଂ ଆର୍ଥିକ ପ୍ରକଳ୍ପଗୁଡ଼ିକ ଉପରେ ଆକ୍ରମଣ ଆହୁରି ବୃଦ୍ଧି ପାଇବ। ବିଶେଷ କରି ଚୀନ୍-ପାକିସ୍ତାନ ଆର୍ଥିକ କରିଡର (CPEC) ସହ ଜଡ଼ିତ ପ୍ରକଳ୍ପଗୁଡ଼ିକୁ ସେମାନେ ନିରନ୍ତର ଟାର୍ଗେଟ ବନାଇବେ ବୋଲି ସ୍ପଷ୍ଟ କରିଛନ୍ତି।