ଦିଲ୍ଲୀ: ଡାକ୍ତରଙ୍କୁ ଗୁଳି କରି ହତ୍ୟା

ପୋଲିସର ଛାନଭିନ ଜାରି: କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ, ୦୩/୧୦: ଦିଲ୍ଲୀର ଜୈତପୁରରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ଜୈତପୁରର କାଳିନ୍ଦୀ କୁଞ୍ଜ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ୫୫ ବର୍ଷୀୟ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଡାକ୍ତର ଜଣକ ହେଉଛନ୍ତି ନିମା ହସ୍ପିଟାଲର ୟୁନାନି ମେଡିସିନ୍ ଡାକ୍ତର ଜାଭେଦ ଅଖତର। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ହସ୍ପିଟାଲ କର୍ମଚାରୀମାନେ ପୁଲିସକୁ କହିଛନ୍ତି ଯେ ଦୁଇ ଜଣ ବ୍ୟକ୍ତି ରାତି ୧ଟାରେ ହସ୍ପିଟାଲକୁ ଆସି ଆଘାତ ସ୍ଥାନରେ ଡ୍ରେସିଂ କରିବାକୁ କହିଥିଲେ। ପରେ ଅଖତରଙ୍କ କ୍ୟାବିନ ଆଡକୁ ଯାଇଥିଲେ। ଏହା ପରେ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା। କର୍ମଚାରୀମାନେ ଅଖତରଙ୍କ କ୍ୟାବିନରେ ପହଞ୍ଚିବା ପରେ ତାଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଅଖତରଙ୍କ ମୁଣ୍ଡରେ ଗୁଳି ବାଜିଥିବାର ଜଣା ପଡ଼ିଛି।

ଅନ୍ୟପଟେ ଅଭିଯୁକ୍ତଙ୍କ ପତ୍ତା ମିଳି ପାରିନାହିଁ। ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ଖୋଳତାଡ଼ ଆରମ୍ଭ ହୋଇଛି।

ଅନ୍ୟପକ୍ଷରେ ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତା ସୌରଭ ଭରଦ୍ୱାଜ କେନ୍ଦ୍ର ସରକାର ଏବଂ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଟାର୍ଗେଟ କରି କହିଛନ୍ତି, ରାଜଧାନୀ ଦିଲ୍ଲୀ ଅପରାଧର ରାଜଧାନୀରେ ପରିଣତ ହୋଇଛି। ଗ୍ୟାଙ୍ଗଷ୍ଟରମାନେ ସହଜରେ ନିଜ କାର୍ଯ୍ୟ କରୁଛନ୍ତି। ଚୋରା ଚାଲାଣ ଓ ଗୁଳିଚାଳନା ଭଳି ହତ୍ୟା କାଣ୍ଡ ମଧ୍ୟ ଘଟାଉଛନ୍ତି।