ଅନଲାଇନ ଗେମ୍ ନିଶା

ଟଙ୍କା ହରାଇ ଆତ୍ମହତ୍ୟା କଲେ ଯୁବକ

କଟକ, ୦୩/୧୦: ଅନଲାଇନ ଗେମ୍ ପ୍ରତି ଥିଲା ନିଶା। ଅନଲାଇନ୍ ଗେମ ଖେଳି ହରାଇଥିଲେ ଯଥେଷ୍ଟ ଟଙ୍କା। ଏହା ସହି ନ ପାରି କଟକ ଜିଲ୍ଲା ବଣିଆ ସାହିରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ସାଲେପୁର ଅଞ୍ଚଳର ବଣିଆ ସାହିର ମନୋଜ କରଜ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ମନୋଜ ଅନଲାଇନ୍ ଗେମ୍ ପ୍ରତି ନିଶାଗ୍ରସ୍ତ ଥିଲେ ଏବଂ ଗେମ୍ ଖେଳି ସେ ଯଥେଷ୍ଟ ଟଙ୍କା ହରାଇଥିଲେ। ସେ ଅନେକ ଲୋକଙ୍କଠାରୁ ଋଣ ମଧ୍ୟ ନେଇଥିଲେ କିନ୍ତୁ ସେହି ଟଙ୍କା ମଧ୍ୟ ହରାଇଥିଲେ। ଋଣ ପରିଶୋଧ ପାଇଁ ଚାପରେ ମନୋଜ ୩ ଦିନ ତଳେ ପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ଘରୁ ଚାଲି ଯାଇଥିଲେ। ମନୋଜଙ୍କ ପରିବାର ଲୋକେ ଖୋଜାଖୋଜି କରିବା ପରେ ଗୁରୁବାର ସକାଳେ ଏକ ଗଛରେ ତାଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଜଣାଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ତାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।