ଭୁବନେଶ୍ୱରରେ ବିଜେପିର ସଦସ୍ୟତା ଅଭିଯାନରେ ସଦସ୍ୟତା କରାଇଲେ କେନ୍ଦ୍ରମନ୍ତ୍ରୀ

• ବୁଦ୍ଧ ଜୟନ୍ତୀ ପାର୍କରେ “ମା' ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କଲେ । • ଚନ୍ଦ୍ରଶେଖରପୁର ମଙ୍ଗଳା ବସ୍ତିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟରେ ସାମିଲ ହେଲେ ।

ବିଜେପି ଉପରେ ସବୁ ବର୍ଗର ଲୋକଙ୍କ ଭରସା ବଢୁଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୦୫/୧୦: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶାର ବୀର ସନ୍ତାନ ବାଜି ରାଉତଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ବିଏମସି ପକ୍ଷରୁ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରିବା ସହ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏହା ସହ ଭୁବନେଶ୍ୱର ଠାରେ ଆମ ଦଳର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅନେକ ନାଗରିକ ଓ କାର୍ଯ୍ୟକର୍ତ୍ତାଙ୍କୁ ଅନଲାଇନ ମାଧ୍ୟମରେ ସଦସ୍ୟତା କରାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରଥମେ ଭୁବନେଶ୍ୱର ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ସେ କହିଛନ୍ତି ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଚିନ୍ତାର ବିଷୟ ହୋଇଛି । ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଜନସାଧାରଣ ଏବଂ ସ୍ୱେଚ୍ଛାସେବୀ ସଂଗଠନ ଗଛ ଲଗାଇବା ଖୁସିର ବିଷୟ । ଆମର ପରିବେଶକୁ ଅଧିକ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ତାହାର ଯତ୍ନ ନେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।

ଏହା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମଙ୍ଗଳା ବସ୍ତିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟରେ ସାମିଲ ହୋଇଥିଲେ । ବିଏମସିର ଅନେକ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ସାଥୀରେ ଚା’ ପିଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଅହିଂସାର ପୂଜାରୀ ପୂଜ୍ୟ ବାପୁଙ୍କ ପ୍ରିୟ ବିଷୟ ଥିଲା ‘ସ୍ୱଚ୍ଛତା’। ଏହି ସ୍ୱଚ୍ଛତା ଅଭିଯାନକୁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଏକ ଜନଆନ୍ଦୋଳନରେ ପରିଣତ କରିଛନ୍ତି । ବର୍ତ୍ତମାନ ସମୟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କେବଳ ସରକାରୀ ବ୍ୟବସ୍ଥା ଭିତରେ ସୀମିତ ହୋଇ ରହିନାହିଁ । ସ୍ୱଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏଥିରେ ଆବାଳବୃଦ୍ଧବନିତା ଏବଂ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ସ୍ୱଚ୍ଛତା ଶ୍ରମଦାନ କରିଛନ୍ତି, ଯାହା ପୂଜ୍ୟ ବାପୁଙ୍କୁ ଉଚିତ୍ ଶ୍ରଦ୍ଧାଞ୍ଜଳି ହୋଇଛି । ଦେଶରେ ସ୍ୱଚ୍ଛତାକୁ ଆଗକୁ ନେବା ପାଇଁ ସମସ୍ତେ ଏକମତ ହୋଇଛନ୍ତି । ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସମସ୍ତେ ସଂକଳ୍ପ ନେବା । ଆମମାନଙ୍କ ମିଳିତ ପ୍ରୟାସରେ ହିଁ ମନ୍ଦିର ମାଳିନୀ ସହର ଭୁବନେଶ୍ୱର ଏବଂ ଆମ ରାଜ୍ୟ ଆହୁରି ସରସ ସୁନ୍ଦର ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସେହିପରି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବିଜେପି ଉପରେ ଗରିବ, ମହିଳା, ଚାଷୀ ଯୁବଶକ୍ତିଙ୍କ ସମେତ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଭରସା ବଢୁଛି, ସେଥିପାଇଁ ଅଧିକରୁ ଅଧିକ ଯୁବାବର୍ଗ ପାର୍ଟିର ସଦସ୍ୟ ହେଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏହି ସଦସ୍ୟତା ଅଭିଯାନରେ ଯୋଡିହେବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଓ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ୮୮୦୦୦୦୨୦୨୪ ନମ୍ୱରରେ ମିସଡ୍ କଲ୍ କରି କିମ୍ବା ନମୋ ଆପ୍ ମାଧ୍ୟମରେ ଲୋକମାନେ ବିଜେପି ପରିବାରର ସଦସ୍ୟ ହୋଇପାରିବେ । ଆମ ଦଳ ବିଶ୍ୱର ସବୁଠୁ ରାଜନୈତିକ ଦଳ ଭାବେ ଉଭା ହୋଇଛି । ଜନଆଶୀର୍ବାଦ କାରଣରୁ ରାଜ୍ୟରେ ବିଜେପିର ସରକାର ଗଠନ ହୋଇଛି । ଆମେ କେବଳ ସରକାର ନହେଁ ବରଂ ସେବାର ଗୋଟେ ଦାୟିତ୍ୱ ଓ ଭୂମିକାରେ ଅବତୀର୍ଣ୍ଣ ହୋଇଛୁ । ଏହି ସମୟରେ ନିରନ୍ତର ଭାବେ ଦଳକୁ ମଜଭୂତ୍ ଓ ସକ୍ରିୟ କରାଇବା ପାଇଁ ପଡିବ । ଆମର ସାମର୍ଥ୍ୟ ଶକ୍ତିକୁ ଆହୁରି ବଢାଇବା ପାଇଁ ପଡିବ । ସାଢେ ୪ କୋଟି ଓଡ଼ିଆଙ୍କ ସେବା କରିବା ଦିଗରେ ଆମେ ସମସ୍ତେ କାର୍ଯ୍ୟକର୍ତ୍ତାମାନେ କାମ କରିବା । ବିଜେପି ପକ୍ଷରୁ ୧ କୋଟି ସଦସ୍ୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଅଭିଯାନ ସଫଳ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।