ରାବଣ ପୋଡି ପାଇଁ ରାଜଧାନୀ ଉତ୍ସବମୁଖର

୧୦ ପୂଜା ମଣ୍ଡପକୁ ରାବଣ ପୋଡି ପାଇଁ ଅନୁମତି

ଭୁବନେଶ୍ବର, ୧୩/୧୦: ରାଜ୍ୟରେ ଦଶହରା ପାଳନ ଅବସରରେ ରାଜଧାନୀ ଭୁବନେଶ୍ୱରର ୧୦ଟି ପୂଜା ମଣ୍ଡପକୁ ରାବଣ ପୋଡି ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଅନୁମତି ମିଳିଛି।

ଆଜି ରାତିରେ ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡକଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ୍ ଓ ଚନ୍ଦକା, ସିମୁଳିଆ ପାଟଣା ଦୋଳଯାତ୍ରା ପଡ଼ିଆ, କପିଳ ପ୍ରସାଦ ଫୁଟବଲ ପଡ଼ିଆରେ ରାବଣ ପୋଡି ଅନୁଷ୍ଠିତ ହେବ। ରାବଣ ପୋଡିରେ କମ୍ ଶବ୍ଦ ବିଶିଷ୍ଟ ବାଣ ବ୍ୟବହାର କରିବାକୁ ପୂଜା କମିଟି ଗୁଡ଼ିକୁ କୁହାଯାଇଛି।

ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀରେ ରାବଣ ପୋଡି କାର୍ଯ୍ୟକ୍ରମ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି।

ସତର୍କତା ଦୃଷ୍ଟିରୁ ଦର୍ଶକ ୧୦୦ ମିଟର ଦୂରତାରେ ରହି ରାବଣ ପୋଡି ଦେଖିବେ।

ଲାଇସେନ୍ସ ପ୍ରାପ୍ତ ବାଣ ଦୋକାନରୁ ବାଣ କିଣିବେ ପୂଜା କମିଟି।

ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟରରୁ ଅଧିକ ହେଲେ କିମ୍ବା ଦର୍ଶକ ଭିଡ ନିୟନ୍ତ୍ରଣ ବାହାରେ ହେଲେ ଆତସବାଜି ହେବ ନାହିଁ।

ଆତସବାଜି କରୁଥିବା ଲୋକ ସ୍ୱତନ୍ତ୍ର ଅଗ୍ନି ନିରାପତ୍ତା ପୋଷାକ ପିନ୍ଧି ନିର୍ଦ୍ଦିଷ୍ଟ ସ୍ଥାନରେ ରହି ଆତସବାଜି ପ୍ରଦର୍ଶନ କରିବେ।

ଡାକ୍ତରଖାନା, ନର୍ସିଂହୋମ, ସ୍କୁଲଠାରୁ ୨୫୦ ମିଟର ଭିତରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହମତି ନ ମିଳିଲେ ବାଣ ଫୁଟାଯିବ ନାହିଁ।

ଅଗ୍ନିଶମ ସେବା କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରି ପର୍ଯ୍ୟାପ୍ତ ଅଗ୍ନିଶମ ଉପକରଣ, ସୁବିଧା ଓ ପ୍ରାଥମିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ବାଣ ଫୁଟାଇବା ସ୍ଥାନର ୨୦ ମିଟର ଭିତରେ କୌଣସି ବିଦ୍ୟୁତ ତାର ଲଗାଇବାକୁ ଅନୁମତି ଦିଆଯିବ ନାହିଁ।

ସମସ୍ତ ରାବଣପୋଡି ସ୍ଥାନରେ ଗୋଟିଏ ଲେଖାଏଁ ଦମକଳ ଗାଡି ନିୟୋଜିତ ରହିବେ।

ରାବଣ ପୋଡ଼ି ପରେ ରହି ଯାଇଥିବା ବାଣକୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ନଷ୍ଟ କରାଯିବ।