‘ବାନ୍ଦ୍ରା ବଏ’ ବାବା ସିଦ୍ଦିକିଙ୍କ ଡି-ଲିଙ୍କ!

ବି-ଟାଉନର ଫେଭରିଟ୍ ପଲିଟିସିଆନ

ମୁମ୍ବାଇ, ୧୩/୧୧: ବାବା ଜିଆଉଦ୍ଦିନ ସିଦ୍ଦିକି ମୁମ୍ବାଇର ଜଣେ ଚର୍ଚ୍ଚିତ ଚେହେରା। ବିଶିଷ୍ଟ ରାଜନୀତିଜ୍ଞ ବାବା ସିଦ୍ଦିକି। ଅକ୍ଟୋବର ୧୨ରେ ସିଦ୍ଦିକଙ୍କୁ ତାଙ୍କ ପୁଅ ତଥା ପୂର୍ବତନ ବିଧାୟକ ଜିଶାନଙ୍କ ବାନ୍ଦ୍ରା ଇଷ୍ଟର ନୀଲମନଗରରେ ଥିବା କାର୍ଯ୍ୟାଳୟ ସମ୍ମୁଖରେ ରାତି ପ୍ରାୟ ୯ଟା ୩୦ ସମୟରେ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ। ତିନି ଜଣ ବାଇକ ଆରୋହୀ ତିନି ରାଉଣ୍ଡ ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ। ଗୋଟିଏ ଗୁଳି ଛାତିରେ ଓ ଦୁଇଟି ଗୁଳି ପେଟରେ ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଲୀଲାବତୀ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।

ବାବା ସିଦ୍ଦିକିଙ୍କ ହତ୍ୟା ରାଜନୈତିକ ମହଲଠାରୁ ଆରମ୍ଭ କରି ବି-ଟାଉନ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ହସ୍ପିଟାଲକୁ ଛୁଟିଥିଲା ନେତା ଓ ସେଲିବ୍ରିଟିଙ୍କ ସୁଅ। ସଲମାନ ଖାନ୍, ସଞ୍ଜୟ ଦତ୍ତ ଓ ଶିଳ୍ପା ସେଟ୍ଟୀଙ୍କ ସମେତ ବହୁ ସିନେ ତାରକା ପହଞ୍ଚିଥିଲେ। ଆଜି କୁପର ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ବାସଭବନକୁ ନିଆଯାଇଥିଲା। ତେବେ ଶେଷ କୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯାଇ ପହଞ୍ଚିଛନ୍ତି।

ବାବା ସିଦ୍ଦିକିଙ୍କୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ହରିୟାଣାରୁ ଗୁରମେଲ ବଲଜିତ ସିଂହ ଏବଂ ଉତ୍ତରପ୍ରଦେଶର ଧର୍ମରାଜ ରାଜେଶ କଶ୍ୟପ ବୋଲି ଜଣାପଡ଼ିଛି। ତେବେ ତୃତୀୟ ଅଭିଯୁକ୍ତ ଶିବ କୁମାର ଗୌତମଙ୍କୁ ଧରି ପାରିନାହିଁ ପୋଲିସ। ବର୍ତ୍ତମାନ ଜେଲରେ ଥିବା ଲରେନ୍ସ ବିଷ୍ଣୋଇଙ୍କ ନେତୃତ୍ୱରେ ହତ୍ୟାକାଣ୍ଡ ହୋଇଥିବା ମୁମ୍ବାଇ ପୋଲିସ ସୂଚନା ଦେଇଛି। ଡି-ଗ୍ୟାଙ୍ଗ ସହ ଲିଙ୍କ ଓ ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ସହ ସମ୍ପର୍କ ଥିବାରୁ ତାଙ୍କୁ ହତ୍ୟା କରିଥିବା ଦାବି କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଅନ୍ୟପଟେ ସିଦ୍ଦିକି ଜଣେ ବିଲଡର ହୋଇଥିବାରୁ ବ୍ୟବସାୟିକ ଦୃଷ୍ଟିକୋଣରୁ ହତ୍ୟା କରାଯାଇଥିବା ଅନୁମାନ କରିଛି ପୋଲିସ।

ତଦନ୍ତରୁ ଜଣା ପଡିଛି ଯେ, ଅଭିଯୁକ୍ତମାନେ କିଛି ମାସ ପୂର୍ବରୁ ସିଦ୍ଦିକିଙ୍କ ଉପରେ ନଜର ରଖୁଥିଲେ। ତାଙ୍କ ଘର ସମେତ କାର୍ଯ୍ୟାଳୟରେ ମଧ୍ୟ ତାଙ୍କ ଚାଲିଚଳନ ନେଇ ଟିକିନିଖି ଖବର ରଖୁଥିଲେ। ଗତ ଶନିବାର ଦଶହରା ପାଇଁ ସହର ସାରା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସତ୍ତ୍ଵେ ସୁଯୋଗ ମିଳିବା ମାତ୍ରେ ସିଦ୍ଦିକିଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଏଥିପାଇଁ ତାଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଆକାରରେ ମିଳିଥିବା ବେଳେ ୯ ଏମ୍ଏମ୍ ପିସ୍ତଲ ମଧ୍ୟ ମିଳିଥିଲା।

ସେପଟେ ସିଦ୍ଦିକିଙ୍କ ଅଣ୍ଡରୱାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ସହିତ ଲିଙ୍କ ଥିବା ଦାବି କରି ହତ୍ୟା କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ସିଦ୍ଦିକିଙ୍କୁ ଏ ନେଇ ଗତ କିଛି ଦିନ ପୂର୍ବରୁ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା। ତେବେ ସିଦ୍ଦିକିଙ୍କୁ ହତ୍ୟା କରିବା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି। ସଲମାନଙ୍କ ସହ ମଧ୍ୟ ଉତ୍ତମ ସମ୍ପର୍କ ଥିବାରୁ ତାଙ୍କୁ ହତ୍ୟା କରିଥିବା କହିଛି ବିଷ୍ଣୋଇ ଗ୍ୟାଙ୍ଗ। ଯାହା ପରେ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ମହାରାଷ୍ଟ୍ରର ପଶ୍ଚିମ ବାନ୍ଦ୍ରା ନିର୍ବାଚନ ମଣ୍ଡଳୀର ବିଧାନସଭା ସଦସ୍ୟ ଥିଲେ ବାବା ସିଦ୍ଦିକି। ୧୯୯୯, ୨୦୦୪ ଓ ୨୦୦୯ରେ ଲଗାତାର ତିନି ଥର ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୪ରୁ ୨୦୦୮ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିଳାସରାଓ ଦେଶମୁଖଙ୍କ ସରକାରରେ ମନ୍ତ୍ରୀ ପଦରେ ରହିଥିଲେ। ୧୯୭୬ରୁ ୨୦୨୪ ପର୍ଯ୍ୟନ୍ତ ୫୦ ବର୍ଷ ଧରି କଂଗ୍ରେସ ଦଳରେ ରହିଥିଲେ। ପରେ ୨୦୨୪ ଫେବୃଆରୀରେ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ବା ଏନସିପିରେ ଯୋଗ ଦେଇଥିଲେ।

୧୯୮୮ରେ ବାବା ସିଦ୍ଦିକି ମୁମ୍ବାଇ ଯୁବ କଂଗ୍ରେସର ସଭାପତି ହୋଇଥିଲେ। ଚାରି ବର୍ଷ ପରେ ସେ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନରେ ମ୍ୟୁନିସିପାଲିଟି କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ ଏବଂ ପାଞ୍ଚ ବର୍ଷ ପରେ ଏହି ପଦକୁ ପୁନଃ ନିର୍ବାଚିତ ହୋଇଥିଲେ। ୧୯୯୯, ୨୦୦୪ ଓ ୨୦୦୯ରେ ଲଗାତାର ତିନି ଥର ସେ ବାନ୍ଦ୍ରା ପଶ୍ଚିମ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ସିଦ୍ଦିକ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ମହାରାଷ୍ଟ୍ର ଗୃହ ନିର୍ମାଣ ଓ ଅଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ବୋର୍ଡ଼ର ଅଧ୍ୟକ୍ଷ ଭାବେ ମଧ୍ୟ ରହିଥିଲେ। ସେ ମହାରାଷ୍ଟ୍ର ସରକାରଙ୍କ ବିଭିନ୍ନ ବିଭାଗରେ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

ବାବା ସିଦ୍ଦିକି ରାଜନୀତି ବ୍ୟତୀତ ବଲିଉଡରେ ମଧ୍ୟ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ। ପ୍ରତିବର୍ଷ ବାବା ସିଦ୍ଦିକି ମୁମ୍ବାଇରେ ଇଫତାର ପାର୍ଟିର ଆୟୋଜନ କରୁଥିଲେ। ଏହି ପାର୍ଟିରେ ଅନେକ ବଲିଉଡ ଏବଂ ଟିଭି ସେଲିବ୍ରିଟି ଯୋଗ ଦିଅନ୍ତି। ସଲମାନ ସବୁବେଳେ ନିଜ ପରିବାର ସଦସ୍ୟଙ୍କ ସହ ପାର୍ଟିରେ ଯୋଗ ଦେଉଥିବା ବେଳେ ଶାହାରୁଖଙ୍କୁ ୨୦୨୨ ଡିନର୍ ପାର୍ଟିରେ ଦେଖିବାକୁ ମିଳିଥିଲା। ବି-ଟାଉନ୍ ସେଲିବ୍ରିଟିଙ୍କ ଦ୍ୱାରା ଆୟୋଜିତ ପାର୍ଟି ଏବଂ କାର୍ଯ୍ୟକ୍ରମରେ ଯୋଗ ଦେଇ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି।

ସେହିପରି ବଲିଉଡ ସୁପରଷ୍ଟାରଙ୍କ ଝଗଡା ମଧ୍ୟ ସମାଧାନ କରିଥାନ୍ତି ସିଦ୍ଦିକି। ତାଙ୍କର ଇଫତାର ପାର୍ଟି ହୁଏ ମିଳନ ପାର୍ଟି। ବଲିଉଡର ଦୁଇ ବଡ଼ ସୁପରଷ୍ଟାର ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କ ମଧ୍ୟରେ ଥିବା ତିକ୍ତତାରେ ପୂର୍ଣ୍ଣଚ୍ଛେଦ ପକାଇ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରିଥିଲେ ସିଦ୍ଦିକି। ଆରମ୍ଭରୁ ଭଲ ବନ୍ଧୁ ଥିବା ସଲମାନ-ଶାହରୁଖ ୨୦୦୮ରେ ମୁମ୍ବାଇରେ କ୍ୟାଟ୍ରିନା କୈଫଙ୍କ ଜନ୍ମଦିନ ପାର୍ଟିରେ କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ୨୦୧୩ରେ ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ସେମାନଙ୍କର ଶୀତଳ ଯୁଦ୍ଧ ଶେଷ ହୋଇଥିଲା। ସିଦ୍ଦିକି ଉଭୟଙ୍କ ମଧ୍ୟରେ ଥିବା ତିକ୍ତତାକୁ ସମାଧାନ କରିଥିଲେ। ସେଠାରେ ଶାହାରୁଖ ଓ ସଲମାନ ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଆଲିଙ୍ଗନ କରିଥିବାର ଫଟୋ ନଜର ଆସିଥିଲା।