ଅଗଷ୍ଟ ୧୬ରୁ ୩୦: ସାରା ରାଜ୍ୟରେ ହେଲମେଟ୍ ଯାଞ୍ଚ ଅଭିଯାନ

କଟକ : ଏଣିକି ବିନା ହେଲମେଟରେ ରାସ୍ତାକୁ ଆସୁଥିବା ଖିଲାପୀ ବାଇକ୍ ଚାଳକଙ୍କୁ କ୍ଷମା ମିଳିବ ନାହିଁ। ରାଜ୍ୟ ପରିବହନ ବିଭାଗ ଚଳିତ ୧୬ ତାରିଖରୁ ଏକ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ କରୁଛି। ହେଲମେଟ୍ ପିନ୍ଧି ନଥିଲେ ୩ ମାସ ଯାଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ ଏବଂ ଡ୍ରାଇଭିଂ ଲାଇସେନ୍ସ ନଥିଲେ ଗାଡ଼ି ଜବତ କରିବାକୁ ରାଜ୍ୟର ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି।

ଏକ ସର୍ଭେରୁ ଜଣାପଡ଼ିଛି ଯେ ୩୩ ପ୍ରତିଶତ ବାଇକ ଚାଳକଙ୍କ ମୃତ୍ୟୁ କେବଳ ବିନା ହେଲମେଟ୍ ଯୋଗୁ ହିଁ ହୋଇଛି। ଦିନକୁ ଦିନ ବାଇକ୍ ଚାଳକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ବଢ଼ିବାରେ ଲାଗିଥିବାରୁ ଏହା ରାଜ୍ୟ ପାଇଁ ଏକ ଉଦବେଗଜନ ପ୍ରସଂଗ ହୋଇଛି। ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତି ଏବଂ ତାଙ୍କ ପଛରେ ବସୁଥିବା ସହଯାତ୍ରୀ ହେଲମେଟ୍ ନ ପିନ୍ଧିଥିଲେ ୧ ହଜାର ଟଙ୍କା ଜରିମାନା ଏବଂ ୩ ମାସ ପର୍ଯ୍ୟନ୍ତ ଗାଡ଼ି ଲାଇସେନ୍ସ ବାତିଲ୍ କରିବାର ବ୍ୟବସ୍ଥା ମୋଟର ଯାନ ଆଇନରେ ଥିବା ବେଳେ ଏହାକୁ କଡ଼ାକଡ଼ି କରିବାକୁ ପରିବହନ କମିସନର ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେଲମେଟ୍ ଚେକିଂ କଡ଼ାକଡ଼ି କରାଯିବାକୁ ପରିବହନ କମିସନର ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଚଢ଼ଉ ସକାଳ ୯ଟାରୁ ଦିନ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଚଢ଼ଉ ଜାତୀୟ ରାଜପଥ, ରାଜ୍ୟ ରାଜପଥ, ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ କରାଯିବ। ଯଦି ଆବଶ୍ୟକ ପଡ଼େ ତେବେ ଆରଟିଓ ପୁଲିସ ସହାୟତା ପାଇଁ ଜିଲ୍ଲା ସ୍ତରରେ ଏସପିଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିବେ।