ବିଜୟ ପରେ ଟ୍ରମ୍ପଙ୍କ ଅଭିଭାଷଣ

‘ଆରମ୍ଭ ହେଲା ଆମେରିକାର ସୁବର୍ଣ୍ଣ ଯୁଗ’

ଆମେରିକା, ୦୬/୧୧: ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ୭ଟି ରାଜ୍ୟ ମଧ୍ୟରୁ ୩ଟିରେ ବିଜୟ ହାସଲ କରିଛନ୍ତି। ଫ୍ଲୋରିଡାର ୱେଷ୍ଟ ପାମ ବିଚ୍ ଠାରେ ଏକ ବିଶାଳ ଜନସମାଗମକୁ ସମ୍ବୋଧିତ କରି ସେ କହିଛନ୍ତି, “ଆପଣମାନଙ୍କର ୪୫ତମ ଏବଂ ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ମୁଁ ଆମେରିକୀୟ ଜନସାଧାରଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଆପଣମାନଙ୍କ ପାଇଁ ଲଢ଼େଇ କରିବି। ଯେପର୍ଯ୍ୟନ୍ତ ଆମ ଆଗାମୀ ପିଢିମାନେ ଶକ୍ତିଶାଳୀ, ସୁରକ୍ଷିତ ଓ ସମୃଦ୍ଧ ଆମେରିକା ପାଇବାକୁ ଯୋଗ୍ୟ ହୋଇନାହାନ୍ତି, ସେ ପର୍ଯ୍ୟନ୍ତ ମୁଁ ବିଶ୍ରାମ ନେବି ନାହିଁ। ଟ୍ରମ୍ପ ତାଙ୍କ ପ୍ରଚାର ଅଭିଯାନକୁ ସର୍ବକାଳୀନ ସର୍ବଶ୍ରେଷ୍ଠ ରାଜନୈତିକ ଆନ୍ଦୋଳନ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବା ଦ୍ୱାରା ଆମେରିକାର ସୁବର୍ଣ୍ଣ ଯୁଗ ଆରମ୍ଭ ହେବ।

ସେ କହିଛନ୍ତି, ଆମେରିକାରେ କୌଣସି ପ୍ରକାର ବେଆଇନ ପ୍ରବେଶକୁ ଅନୁମତି ଦିଆଯିବ ନାହିଁ। ତୁରନ୍ତ ସୀମାକୁ ସିଲ୍ କରାଯିବ। ବିଭିନ୍ନ ଦେଶ ମଧ୍ୟରେ ଚାଲୁଥିବା ଯୁଦ୍ଧକୁ ଆଉ ଚାଲିବାକୁ ଦିଆଯିବ ନାହିଁ। ଖୁବ ଶୀଘ୍ର ଯୁଦ୍ଧ ବନ୍ଦ କରାଯିବ। ତାଙ୍କ ସରକାର ଟିକସ ହ୍ରାସ କରିବ। ନିର୍ବାଚନ ପ୍ରଚାର ସମୟରେ ମୋ ଉପରକୁ ଆକ୍ରମଣ ହେଲା ବେଳେ ଲୋକ କହିଲେ ମୋତେ ଭଗବାନ ବଞ୍ଚେଇ ଦେଇଛନ୍ତି। ପ୍ରକୃତରେ ଭଗବାନ ଏ ଦେଶକୁ ବଞ୍ଚାଇ ଦେଇଛନ୍ତି। ଆମେରିକାର ଭବିଷ୍ୟତ ପୂର୍ବ ଅପେକ୍ଷା ବହୁତ ଉନ୍ନତ, ସମୃଦ୍ଧ, ଧନୀ, ସୁରକ୍ଷିତ ଏବଂ ଶକ୍ତିଶାଳୀ ହେବ।