୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ସାରିଦେଲା ବିଜେପି

ଶଙ୍ଖଭବନରେ ଛାତ୍ର ବିଜେଡି ପକ୍ଷରୁ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।

ରାଜ୍ୟସରକାରଙ୍କୁ ନବୀନଙ୍କ ସିଧା ନିଶାନା

ଭୁବନେଶ୍ବର, ୦୭/୧୧: ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବା ପାଇଁ ଆଜି ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଡିଜିଟାଲ କର୍ମଶାଳା ଉଦଘାଟିତ ହୋଇଯାଇଛି। ଏହାର ଉଦଘାଟନ କରିଛନ୍ତି ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏହି କର୍ମଶାଳାରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ନବୀନ। ନବୀନ କହିଛନ୍ତି, ବିଜେଡି ସରକାରରେ ଥିବା ବେଳେ ବହୁତ ଭଲ କାମ ହୋଇଛି। ଆମ ସରକାରଙ୍କ ଯୋଜନା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଭାରତ ସରକାର ଆମର ବହୁ ଯୋଜନାର ଅନୁସରଣ କରିଛନ୍ତି। ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବା କେବେ ଆମର ଲକ୍ଷ୍ୟ ନଥିଲା। ଆମ ସରକାର ଦ୍ୱାରା ଆରମ୍ଭ ହୋଇଥିବା ବହୁ ଯୋଜନାକୁ ବର୍ତ୍ତମାନର ସରକାର ବନ୍ଦ କରି ଦେଇଛନ୍ତି। ରାଜ୍ୟର ବିକାଶ ଓ ଲୋକମାନଙ୍କର କଲ୍ୟାଣ ହେଉଛି ଆମର ମୂଳ ଲକ୍ଷ୍ୟ। ଆମ ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନା ଲୋକମାନଙ୍କୁ ସ୍ୱାଭିମାନର ସହ ବଞ୍ଚିବାକୁ ଶକ୍ତି ଦେଇଥିଲା। ଏବେ ବିନା କାରଣରେ ଗରୀବ ଆଦିବାସୀ ଭାଇ ଭଉଣୀମାନଙ୍କ ଚାଉଳ ସରକାର ବନ୍ଦ କରିଛନ୍ତି। ଯେଉଁଥିପାଇଁ ସେମାନେ ଆମ୍ବ ଟାକୁଆ ଖାଉଛନ୍ତି। ଯାହାକି ବହୁତ ଦୁଃଖର କଥା। ଏଥିପାଇଁ ଦୁଇ ଜଣ ଆଦିବାସୀ ମହିଳା ପ୍ରାଣ ହରାଇଛନ୍ତି। ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି। ଆମର ୧୨ ବର୍ଷର ତପସ୍ୟାକୁ ବିଜେପି ସରକାର ଶୁଖୁଆ ପୋଡାରେ ସାରିଦେଲେ। ଲୋକଙ୍କୁ ଗୁଣବତ୍ତା ଖାଦ୍ୟ ଯୋଗାଇଦେବା ପାଇଁ ବିଜେଡି ସରକାର ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ। ପ୍ରତ୍ୟେକ ଜୀବନ ମୂଲ୍ୟବାନ। ବିଜୁ ଜନତା ଦଳ ଓଡ଼ିଶାର ନମ୍ବର ୱାନ ଦଳ। ଗତ ନିର୍ବାଚନରେ ଆମେ ଅଧିକ ଭୋଟ ପାଇଛୁ। ଆମର ଭୋଟ ପ୍ରତିଶତ ହାର ମଧ୍ୟ ଅଧିକ। ବିଜୁ ଜନତା ଦଳ ଓଡିଶାବାସୀଙ୍କ ହୃଦୟରେ ଅଛି। ମୋର ଅନୁରୋଧ ଆପଣମାନେ ଓଡ଼ିଆ ସ୍ୱାଭିମାନର ସୁରକ୍ଷା ତଥା ଓଡ଼ିଆ ପରିଚୟକୁ ଉଜ୍ଜ୍ୱଳ କରିବା ପାଇଁ କାମ ଜାରି ରଖନ୍ତୁ ବୋଲି ନବୀନ କହିଛନ୍ତି।