ଭୁବନେଶ୍ବର, ୦୭/୧୧: ରାଜ୍ୟରେ ରାସନ କାର୍ଡଧାରୀଙ୍କୁ ଚାଉଳ ଓ ଗହମ ଯୋଗାଣକୁ ନେଇ ଅସ୍ଥିରତା ଦେଖାଦେଇଛି। ଖାଉଟିଙ୍କୁ ଚାଉଳ ମିଳିଥିବା ବେଳେ ଗହମ ମିଳିନାହିଁ। ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଯେ, ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ। ଗହମ ଗଚ୍ଛିତ ଅଛି। କିନ୍ତୁ ହିସାବ ଏବେ ବି ବାକି ଅଛି। ସରକାରୀ ସ୍ତରରେ କାମ ସରି ନଥିବାରୁ ଗହମ ଯୋଗାଣ ପାଇଁ ୨ ମାସ ବିଳମ୍ବ ହେବ। ରାଜ୍ୟରେ କିଛି ହିତାଧିକାରୀ ଗହମ ଚାହୁଁଥିବା ବେଳେ କିଛି ଗହମ ଚାହୁଁନାହାନ୍ତି। ତେଣୁ କେଉଁ ଜିଲ୍ଲାରୁ କେତେ ହିତାଧିକାରୀଙ୍କୁ କେତେ ପରିମାଣରେ ଗହମ ଆବଶ୍ୟକତା ଅଛି, ତାର ତଥ୍ୟ ଜିଲ୍ଲାପାଳଙ୍କୁ ମଗାଯାଇଛି। ବର୍ତ୍ତମାନ ଇ-କେୱାଇସି ପ୍ରକ୍ରିୟା ଚାଲୁଥିବା ବେଳେ ଏହା ୮୫ ପ୍ରତିଶତ ସରି ଯାଇଛି। ସମ୍ପୂର୍ଣ୍ଣ ଶେଷ ହେବାକୁ ଆଉ ୧୫ ଦିନ ସମୟ ଲାଗିବ। ଏଥିରେ ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେଣି। ଇ-କେୱାଇସି ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ପରେ ଗହମ ଯୋଗାଣର ପରିମାଣକୁ ସ୍ଥିର କରାଯିବ ଏବଂ ବିଭିନ୍ନ ଜିଲ୍ଲାକୁ ଗହମ ଯୋଗା ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ରାସନକାର୍ଡଧାରୀଙ୍କୁ ୨୦୨୦-୨୧ ମସିହାରୁ ଗହମ ବଣ୍ଟନ ବ୍ୟବସ୍ଥା ବନ୍ଦ ହୋଇଥିଲା। ପୂର୍ବ ସରକାର ଚାଉଳ ଯୋଗାଣ ପାଇଁ ବ୍ୟବସ୍ଥା ରଖିଥିବା ବେଳେ ବର୍ତ୍ତମାନ ନୂଆ ସରକାର ଚାଉଳ ସହ ଗହମ ବଣ୍ଟନ କରିବେ ବୋଲି ଘୋଷଣା କରିଥିଲେ। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ। ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଏକକାଳୀନ ଚାଉଳ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେବା ବେଳେ ଗହମ ବଣ୍ଟନକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଗହମ ପାଇଁ ମୁଣ୍ଡପିଛା ନିର୍ଦ୍ଦିଷ୍ଟ ପରିମାଣର କାଟି କେବଳ ଚାଉଳ ଦେଉଛନ୍ତି ଡିଲର। ହେଲେ, ୩ ମାସର ମୁଣ୍ଡପିଛା ୧୫ କିଲୋ ଚାଉଳ ଯୋଗାଇବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।