ମୁମ୍ବାଇ, ୦୭/୧୧: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କୁ ମିଳିଛି ହତ୍ୟା ଧମକ। ଏଥିସହ ୫୦ ଲକ୍ଷ ଟଙ୍କା ଦାବି କରାଯାଇଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନକୁ ଶାହାରୁଖ ଖାନଙ୍କୁ ହତ୍ୟା ଧମକ ସହ ୫୦ ଲକ୍ଷ ଟଙ୍କା ଦାବିରେ ଏକ ଫୋନ ଆସିଥିଲା। ଏହି ଘଟଣାରେ ଛତିଶଗଡ଼ ରାଜଧାନୀ ରାୟପୁରର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ପୁଲିସ ରାୟପୁରର ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ସମନ କରିଛି। ଫୈଜାନ୍ ନାମକ ଛତିଶଗଡ଼ ରାୟପୁରର ଜଣେ ବାସିନ୍ଦା ଏହି ଧମକପୂର୍ଣ୍ଣ ଫୋନ୍ କରିଥିଲେ। ଏହା ପରେ ତାଙ୍କ ବିରୋଧରେ ଧାରା ୩୦୮(୪), ୩୫୧(୩)(୪) ବିଏନଏସ ରେ ମାମଲା ରୁଜୁ ହୋଇଛି।
ସୂଚନା ମୁତାବକ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସହଯୋଗୀ ଅଭିନେତା ସଲମାନ ଖାନଙ୍କୁ ଅନେକ ଧମକ ଦେବା ପରେ ଏବେ ଶାହାରୁଖ ଖାନଙ୍କୁ ମଧ୍ୟ ଏପରି ଧମକ ମିଳିଛି। ତେବେ ଶାହରୁଖ ଖାନ ୱାଇ ପ୍ଲସ ସିକ୍ୟୁରିଟି ମଧ୍ୟରେ ରୁହନ୍ତି। ୨୦୨୩ରେ ଶାହରୁଖ କହିଥିଲେ ଯେ ‘ପଠାନ’ ଏବଂ ‘ଜୱାନ’ ସିନେମାର ସଫଳତା ପରେ ତାଙ୍କୁ ହତ୍ୟା ଧମକ ମିଳୁଛି। ଏହା ପରେ ଅକ୍ଟୋବର ୨୦୨୩ରେ ଶାହାରୁଖଙ୍କୁ ୱାଇ+ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ସେବେଠାରୁ ଅଭିନେତାଙ୍କୁ ସୁରକ୍ଷା କର୍ମୀମାନେ ଘେରି ରହିଛନ୍ତି।