ଭାରତର ଜଳବାୟୁ ନୀତି ଦ୍ୱାରା ୪ ବିଲିୟନ ଟନ୍ ହ୍ରାସ ପାଇବ କାର୍ବନ ଡାଇଅକ୍ସାଇଡ ନିର୍ଗମନ
୨୦୫୦ ସୁଦ୍ଧା ବିକ୍ରି ହେବ ୬୫% ଇଭି: ସଦ୍ୟତମ ସିଇଇଡବ୍ଲ୍ୟୁ ରିପୋର୍ଟ
ନୂଆଦିଲ୍ଲୀ, ୦୮/୧୧: ଭାରତର ବର୍ତ୍ତମାନର ଜଳବାୟୁ ନୀତି ୨୦୨୦ରୁ ୨୦୩୦ ମଧ୍ୟରେ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନକୁ ପ୍ରାୟ ୪ ବିଲିୟନ ଟନ୍ ହ୍ରାସ କରିବା ସହ କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନରେ ୨୪ ପ୍ରତିଶତ ହ୍ରାସ ଆଣିବ ବୋଲି ଏକ ନୂତନ ରିପୋର୍ଟରେ ଆକଳନ କରାଯାଇଛି।
ଦ୍ରୁତ ବିକାଶଶୀଳ ଦକ୍ଷିଣ ଏସୀୟ ଦେଶ ତଥା ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାରତ ଗ୍ଲାସଗୋରେ ଅନୁଷ୍ଠିତ ହୋଇଥିବା କପ୍୨୬ରେ ୨୦୩୦ ସୁଦ୍ଧା ଏକ ବିଲିୟନ ଟନ୍ ନିର୍ଗମନ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଛି।
ଶକ୍ତି, ପରିବେଶ ଏବଂ ଜଳ ଉପରେ ଦିଲ୍ଲୀସ୍ଥିତ ଇଣ୍ଡିପେଣ୍ଡେଣ୍ଟ ଥିଙ୍କଟ୍ୟାଙ୍କ କାଉନସିଲ୍ (ସିଇଇଡବ୍ଲ୍ୟୁ) ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୁହାଯାଇଛି ଯେ ଭାରତର ଶକ୍ତି, ଆବାସିକ ଏବଂ ପରିବହନ କ୍ଷେତ୍ରର ନୀତି ୨୦୧୫ରୁ ୨୦୨୦ ମଧ୍ୟରେ ୪୪୦ ନିୟୁତ ଟନ୍ କାର୍ବନ ଡାଇଅକ୍ସାଇଡ୍ (MtCO2) ସଞ୍ଚୟ କରିସାରିଛି।
ରିପୋର୍ଟ ଅନୁଯାୟୀ, ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରୁଥିବା ନୀତି ୨୦୩୦ ସୁଦ୍ଧା କୋଇଲା ଭିତ୍ତିକ ବିଦ୍ୟୁତ ଉତ୍ପାଦନରେ ୨୪ ପ୍ରତିଶତ ହ୍ରାସ ଆଣିବ ବୋଲି ଆଶା କରାଯାଉଛି। ଏହା ୮୦ ଗିଗାୱାଟ କୋଇଲା ଭିତ୍ତିକ ପାୱାର ପ୍ଲାଣ୍ଟକୁ ଏଡ଼ାଇବା ସହ ସମାନ, ଯାହା ଭାରତରେ ବଢୁଥିବା ବିଦ୍ୟୁତ ଚାହିଦାକୁ ପୂରଣ କଳିପାରିବ। ବର୍ତମାନ ଭାରତ କୋଇଲା ବ୍ୟବହାର କରି ପ୍ରାୟ ୭୧ ପ୍ରତିଶତ ବିଦ୍ୟୁତ ଉତ୍ପାଦନ କରୁଛି ।
ଏହାବ୍ୟତୀତ ରଣନୈତିକ ସମର୍ଥନ ଏବଂ ପ୍ରତିଯୋଗିତାମୂଳକ ଟେଣ୍ଡର ଦ୍ୱାରା ଭାରତର ଶକ୍ତି ମିଶ୍ରଣରେ ମିଳିତ ସୌର ଏବଂ ପବନ ଶକ୍ତିର ଅଂଶ ୨୦୩୦ ସୁଦ୍ଧା ୨୬ ପ୍ରତିଶତ ଏବଂ ୨୦୫୦ ସୁଦ୍ଧା ୪୩ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି, ଯାହା କି ୨୦୧୫ରେ ମାତ୍ର ୩ ପ୍ରତିଶତ ଥିଲା।
ଏହି ପରିବର୍ତ୍ତନ କୋଇଲା ଉପରେ ନିର୍ଭରଶୀଳତାକୁ ନିର୍ଣ୍ଣାୟକ ଭାବରେ ହ୍ରାସ କରିବ, ଯାହା ବର୍ତ୍ତମାନ ଦେଶର ମୋଟ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନର ପ୍ରାୟ ଅଧା ଉତ୍ସ ଅଟେ। ତେବେ ୨୦୭୦ ସୁଦ୍ଧା ନେଟ୍ ଜିରୋ କାର୍ବନ ହାସଲ କରିବାକୁ ହେଲେ, ବହୁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।
ଭାରତ ତା’ର ଶକ୍ତି ମିଶ୍ରଣରେ ଅକ୍ଷୟ ଶକ୍ତିର ଅଧିକ ଅଂଶ ଗ୍ରହଣ କରିବା ସହିତ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବୃଦ୍ଧି ଉପରେ ଜୋର ଦେଉଛି। ଏହା ବ୍ୟତୀତ ଜାତୀୟ ସୌର ମିଶନ, ଫେମ୍ ୧ ଓ ୨ ଯୋଜନା, ଷ୍ଟାଣ୍ଡାର୍ଡ ଆଣ୍ଡ ଲେବଲିଂ ସ୍କିମ୍ ଏବଂ ଉଜାଲା କାର୍ଯ୍ୟକ୍ରମ ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯାହା ଭବିଷ୍ୟତର ଶକ୍ତି ଚାହିଦା ଏବଂ ଯୋଗାଣକୁ ପ୍ରଭାବିତ କରିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ଆକଳନ ରୁ ଜଣାପଡିଛି ଯେ ୨୦୩୦ ସୁଦ୍ଧା ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ ୧୯ ପ୍ରତିଶତ ଏବଂ ଚାରି ଚକିଆ ଯାନ ୧୧ ପ୍ରତିଶତ ବିକ୍ରି ହେବ। ଏହା ଦ୍ୱାରା ଚଳିତ ଦଶନ୍ଧିରେ ତୈଳ ଓ ଗ୍ୟାସ ଚାହିଦା ୧୩ ପ୍ରତିଶତ ହ୍ରାସ ପାଇବାର ସମ୍ଭାବନା ରହିଛି। ୨୦୫୦ ବେଳକୁ ବିଦ୍ୟୁତଚାଳିତ ଯାନ ବିକ୍ରି ୬୫ ପ୍ରତିଶତରୁ ଅଧିକ ହେବ। ଯାହା ଫଳରେ ଏହି କ୍ଷେତ୍ରରେ ତୈଳ ଓ ଗ୍ୟାସ ଚାହିଦା ୫୫ ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ଅଧ୍ୟୟନରୁ ଜଣାପଡିଛି ଯେ ୨୦୨୦ରୁ ୨୦୩୦ ମଧ୍ୟରେ ଭାରତୀୟ ପରିବାରରେ ଏୟାର କଣ୍ଡିସନିଂ ସମ୍ବନ୍ଧୀୟ ବିଦ୍ୟୁତ ବ୍ୟବହାର ଦ୍ୱିଗୁଣିତ ହେବ ଏବଂ ପରେ ୨୦୫୦ ସୁଦ୍ଧା ଏହା ପ୍ରାୟ ୧୦ ଗୁଣ ବୃଦ୍ଧି ପାଇବ। ଏହି ଅଭିବୃଦ୍ଧି କେବଳ ଗରମ ଗ୍ରୀଷ୍ମ ଦିନରେ ହେବ ନାହିଁ ବରଂ ବିଦ୍ୟୁତ ମୂଲ୍ୟ ହ୍ରାସ କାରଣରୁ ଏୟାର କଣ୍ଡିସନିଂ ବ୍ୟବହାର ବୃଦ୍ଧି ହେବ।
ସେହିପରି ଉଜାଲା କାର୍ଯ୍ୟକ୍ରମ ଦ୍ୱାରା ୨୦୧୫ରୁ ଅଧିକ ଶକ୍ତି-ସମ୍ପନ୍ନ ଏଲ୍ଇଡି ବଲର ବିତରଣ ହେଉଥିବାରୁ ଆବାସିକ ଆଲୋକର ବ୍ୟବହାର ୨୦୩୦ ସୁଦ୍ଧା ୪୮ ପ୍ରତିଶତ ଏବଂ ୨୦୫୦ ସୁଦ୍ଧା ୫୯ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।