ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ ତାରିଖରେ ଓଡ଼ିଶା ଆସିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି।
ଓଡ଼ିଶା ମାଟିରେ ଉଦଘାଟନ ହେବ ଜନଜାତି ଗୌରବ ଦିବସ
ନୂଆଦିଲ୍ଲୀ, ୦୯/୧୧: ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜନଜାତି ଗୌରବ ଦିବସର ଉଦଘାଟନ କରିବେ ମୋଦି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିରେ ବର୍ଷବ୍ୟାପୀ ‘ଜନଜାତି ଗୌରବ ଦିବସ’ ପାଳନ ହେବ। ଏ ନେଇ ରାଉରକେଲାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ ତାରିଖରେ ଓଡ଼ିଶା ଆସିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି।
ସେହିପରି ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସଂପ୍ରସାରଣ ଆଇନ(ପେସା) ଆଇନ ୧୯୯୬କୁ ମଧ୍ୟ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ପେସା ଆଇନ ଦ୍ୱାରା କିପରି ଆଦିବାସୀମାନେ ଉପକୃତ ହୋଇପାରିବେ ସେ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ। ସମଗ୍ର ଭାରତରେ ଆଦିବାସୀ ଅଧ୍ୟୁଷିତ ଗାଁଗୁଡ଼ିକରେ ସ୍ବତନ୍ତ୍ର ଗ୍ରାମସଭା ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ୬୭୦୦ରୁ ଉର୍ଦ୍ଧ୍ଵ ଗ୍ରାମପଞ୍ଚାୟତ ଓ ୭୬୬୭ଟି ଗ୍ରାମରେ ଗ୍ରାମସଭା ଆୟୋଜନ କରାଯିବ। ଏହି ବୈଠକରେ ସରପଞ୍ଚ ଅଧ୍ୟକ୍ଷତା କରିବେ ଏବଂ ପଞ୍ଚାୟତ ସ୍ତରୀୟ ଅଫିସର ଏହାର ସଂଯୋଜନା କରିବେ। ଆସନ୍ତା ନଭେମ୍ବର ୨୬ରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ଏହି ଆଇନ ଉପସ୍ଥାପନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।