ଯୋଡା, ୯/୧୧ : ଲୁହାପଥର ଗୁଣ୍ଡ ପାଇପ ଯୋଗେ ପରିବହନ ନିମନ୍ତେ ବିଛା ଯାଇଥିବା ସ୍ଲରି ପାଇପ ଲାଇନ ଫାଟି ଏଥିରୁ ନିର୍ଗତ ଲୁହା ଗୁଣ୍ଡ ମିଶା ଜଳ ଜନସାଧାରଣଙ୍କ ଧାନ ବିଲରେ ପ୍ରବାହିତ ହେବା ଫଳରେ ସେମାନଙ୍କର ଫସଲ ଉଜୁଡିଯାଇଥିବା ଅଭିଯୋଗ ହୋଇଛି । ଫଳରେ ଚାଷିମାନେ କ୍ଷତି ପୂରଣ ଦାବି କରିଛନ୍ତି । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀର ପାଇପ ଯୋଗେ ଲୁହାପଥର ଗୁଣ୍ଡରେ କେମିକାଲ ଓ ଜଳ ମିଶାଇ ତାକୁ କାଦୁଅରେ ରୂପାନ୍ତରିତ କରିବା ପରେ ବିଭିନ୍ନ ପ୍ଲାଣ୍ଟକୁ ପରିବହନ କରିଆସୁଛି । ବଡ ବଡ ଲୁହାପାଇପ ଯୋଗେ କାଦୁଅ ମିଶ୍ରିତ ଲୁହାଗୁଣ୍ଡ ଏୟାର କମ୍ପ୍ରେସର ସାହାଯ୍ୟରେ ଠେଲା ଯାଉଥିବାରୁ ବିଭିନ୍ନ ସମୟରେ ପାଇପ ଫାଟି ଜନବସତି କାଦୁଅ ପାଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ସୂଚନା ଅନୁଯାୟୀ ଶନିବାର ଯୋଡା ବ୍ଲକ ବଡକାଳିମାଟି ପଞ୍ଚାୟତ ଖଜୁରିଡିହି ସାହି ଦେଇ ଯାଇଥିବା ସ୍ଲରି ପାଇପ ଲାଇନଟି କୌଣସି କାରଣରୁ ବାମେବାରି ଥାନା ଅଧିନ ନୟାଗଡ ପଞ୍ଚାୟତର କୁଟୁପାଲି ଗ୍ରାମ ନିକଟରେ ଫାଟିଯିବା ଫଳରେ ପ୍ରାୟ ୧୦୦ ଫୁଟ ଉଚ୍ଚକୁ ଲୁହାଗୁଣ୍ଡ କାଦୁଅ ପାଣି ଉଠି ନିକଟସ୍ତ ଚାଷଜମି ଉପରେ ମିଶିଥିଲା । ଏହା ସହିତ ଲୁହାପଥର ଗୁଣ୍ଡ ସହ ବିଭିନ୍ନ ରସାୟନ ମିଶ୍ରିତ ଜଳ ଚାଷଜମିରେ ପ୍ରବାହିତ ହେବା ଫଳରେ ଧାନଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହେବା ସହିତ ବିଲ ପ୍ରଦୂଷିତ ହୋଇପଡିଥିବା ଦେଖାଯାଇଛି । ଫଳରେ ପ୍ରାୟ ୪ ଏକରରୁ ୫ଏକର ଧାନ ଫସଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଏହି ସ୍ଲରି ପାଇପ ଲାଇନଟି ଯୋଡା ବ୍ଲକ ବଡ କାଳିମାଟି ପଞ୍ଚାୟତ ଦୁବୁନା ଠାରେ ଥିବା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀର ହୋଇଥିବା ବେଲେ ଚାଷୀ ମାନଙ୍କୁ ଏହାର କ୍ଷତି ପୂରଣ ଦେବା ସହ ମିତ୍ତଲର ଏହି ସ୍ଲରି ପାଇପ ଲାଇନକୁ ବିଲ ଭିତରୁ ହଟାଇଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ସ୍ଲରୀ ପାଇପ ଲାଇନ ଫାଟିବା ଯୋଗୁଁ ରସାୟନ ଲୁହାଗୁଣ୍ଡ ମିଶ୍ରିତ କାଦୁଅ ଜଳ ଧାନଫସଲକୁ ନଷ୍ଟ କରିବା ଯୋଗୁଁ ଚାଷୀମପଣ୍ଡରେ ଚଡକ ପଡିଛି । ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ମିତ୍ତଲ କମ୍ପାନୀ ପକ୍ଷରୁ ଗ୍ରାମବାସୀମାନଙ୍କର କ୍ଷତୀର ଭରଣା କରାଯିବ ବୋଲି ଆଶ୍ୱାସନା ଦିଆଯାଇଛି । କମ୍ପାନୀ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଯେ,ସକାଳ ୧୦.୨୪ ମିରେ ଦବୁନା ବେନିଫିକେସନ ପ୍ଲାଣ୍ଟ ବାହାରେ ଥିବା ସ୍ଲରି ପାଇପ ଲାଇନରେ ସାମାନ୍ୟ ଲିକେଜ ଦେଖାଦେଇଥିଲା । ଏହା ପରେ ତୁରନ୍ତ ପମ୍ପ ଲାଇନକୁ ବନ୍ଦ କରିଦିଆଯାଇଥିବା ବେଳେ ଏକ ଦଳ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ କାର୍ୟ୍ୟ ଆରମ୍ଭ କରିଛି । ଚାଷି ମାନଙ୍କୁ ସେମାନଙ୍କ କ୍ଷତି ପୂରଣ ପୈଠ କରିବା ପାଇଁ ଆଲୋଚନା କରାଯାଉଛି । ତେବେ ଘଟଣାସ୍ଥଳରେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡାଙ୍କ ଉପସ୍ଥିତିରେ ସ୍ଥାନୀୟ ବାସିନ୍ଦାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କମ୍ପାନୀ ସମ୍ମତ୍ତି ପ୍ରଦାନ କରିଥିବା ଜଣାପଡିଛି ।
Next Post