ପ୍ରଗତିର ମୁଖଶାଳା ପାରାଦ୍ଵୀପ ବନ୍ଦର
ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବୋଇତ ବନ୍ଦାଣ ଉତ୍ସବରେ ଐତିହ୍ୟକୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ
ଜଗତସିଂହପୁର, ୧୫/୧୧: ଆଜିଠୁ ପାରାଦ୍ଵୀପରେ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ବାଲିଯାତ୍ରା। ଏହି ଅବସରରେ ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଆଜି ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବୋଇତ ବନ୍ଦାଣ ଓ ବାଲିଯାତ୍ରା ଓଡ଼ିଶାର ପ୍ରାଚୀନ ଇତିହାହ ସହ ଜଡ଼ିତ। କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ୨୫୦୦ ବର୍ଷ ତଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଐତିହ୍ୟ ଏ ମାଟିର ବୀର ସାଧବ ପୁଅମାନଙ୍କ ଦୁଃସାହସିକ ଜଳଯାତ୍ରା ସହ ପୃଥିବୀର ବିଭିନ୍ନ ଭୂଖଣ୍ଡ ସହ ବାଣିଜ୍ୟିକ ସମ୍ପର୍କକୁ ନିଶ୍ଚିତ ଭାବରେ ମନେ ପକାଏ। କଳିଙ୍ଗର ସେହି ସାହସୀ ସାଧବମାନେ ସାମୁଦ୍ରିକ ଝଡଝଞ୍ଜାକୁ ଭୃକ୍ଷେପ ନକରି ସାତ ସମୁଦ୍ର ତେର ନଈ ପାର ହୋଇ ଚାବାହାର, ସୁମତ୍ରା, ବାଲି, ବର୍ଲିଓ, ଇଣ୍ଡୋନେସିଆ, ଶ୍ରୀଲଙ୍କା ଓ ଭିଏତନାମ ପ୍ରଭୃତି ଦ୍ଵୀପ ଓ ଦେଶ ମାନଙ୍କୁ ଯାଇ ବୀର ସାହସୀ ସାଧବ ପୁଅମାନଙ୍କ ବେପାର ବାଣିଜ୍ୟକୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ। ସାଧବ ପୁଅଙ୍କ ବଳରେ କଳିଙ୍ଗ ଧନପ୍ରସୂ ଓ ବୈଭବଶାଳୀ ହୋଇଥିଲା ବୋଲି କହିଛନ୍ତି।
ପାରାଦ୍ଵୀପ ବନ୍ଦର ପ୍ରଗତିର ମୁଖଶାଳା। ପାରାଦ୍ଵୀପ ଏକ ବୃହତ ବନ୍ଦର ଓ ବାଣିଜ୍ୟିକ ପେଣ୍ଠ। ଏହି ବନ୍ଦର ପ୍ରତିଷ୍ଠା ହେବା ଆଗରୁ ସମଗ୍ର ଓଡ଼ିଶା ଇତିହାସରେ ପାରାଦ୍ଵୀପର ଏକ ବିଶେଷ ସ୍ଥାନ ରହିଛି। ପାରାଦ୍ଵୀପର ଯେଉଁ ଆଧ୍ୟାତ୍ମିକ, ସାଂସ୍କୃତିକ, ଐତିହାସିକ ଓ ପୌରାଣିକ ଭାବ ରହିଛି ତା’ର ଅଧ୍ୟୟନ ଓ ଗବେଷଣା କରିବାର ଆବଶ୍ୟକତା ଅଛି।
ପାରାଦୀପରେ ୨ ଲକ୍ଷ କୋଟିର ପୁଞ୍ଜି ନିବେଶ ହେବା ସହିତ ତାଳଚେରକୁ ପାରାଦୀପ ସହ ଯୋଡ଼ିବାକୁ ୧୬ ହଜାର କୋଟି ବ୍ୟୟ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।