ଦେଶବ୍ୟାପୀ ପାଳନ ହେଉଛି ‘ଜନଜାତୀୟ ଗୌରବ ଦିବସ’
ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶରେ ପାଳନ ହେଉଛି 'ଜନଜାତୀୟ ଗୌରବ ଦିବସ'।
ଜାମୁଇରୁ ୬,୬୪୦ କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୫/୧୧: ଆଜି ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଦେଶ ବ୍ୟାପୀ ପାଳିତ ହେଉଛି ‘ଜନଜାତୀୟ ଗୌରବ ଦିବସ’। ଏହି ଅବସରରେ ବିହାରର ଜାମୁଇ ଜିଲ୍ଲାରେ ଆୟୋଜିତ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶବାସୀଙ୍କ ଉତ୍ସର୍ଗରେ ୬,୬୪୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ବିର୍ସା ମୁଣ୍ଡାଙ୍କ ସମ୍ମାନାର୍ଥେ ସ୍ଵତନ୍ତ୍ର ସ୍ମାରକୀ ମୁଦ୍ରା ଓ ଡାକ ଟିକଟ ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେହିପରି ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ(ପିଏମ-ଜନମନ) ଅଧିନରେ ଆଦିବାସୀ ପରିବାରଙ୍କ ପାଇଁ ସରକାରଙ୍କ ତରଫରୁ ନିର୍ମାଣ ହୋଇଥିବା ୧୧,୦୦୦ ଘରେ ଭର୍ଚୁଆଲି ‘ଗୃହ ପ୍ରବେଶ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିବା ପ୍ରକଳ୍ପଗୁଡ଼ିକ ଆଦିବାସୀ ଅଞ୍ଚଳରେ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଜୀବିକା ସୃଷ୍ଟିରେ ଉନ୍ନତି ଆଣିବା ଉପରେ ଗୁରୁତ୍ବ ରଖୁଛି। ଦୁର୍ଗମ ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟସେବା ଉପଲବ୍ଧତା ବୃଦ୍ଧି କରିବା ପାଇଁ ପିଏମ-ଜନମନ ଅଧୀନରେ ୨୩ଟି ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ (ଏମଏମୟୁ) ଏବଂ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ (ଡିଏଜେଜିୟୁଏ) ଅଧୀନରେ ୩୦ଟି ଅତିରିକ୍ତ ଏମଏମୟୁର ଶୁଭାରମ୍ଭ କରିଥିଲେ।