ନବୀନଙ୍କ ରାସ୍ତାରେ ମୋହନ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସିଙ୍ଗାପୁର ଗସ୍ତକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ସିଧାସଳଖ ଟାର୍ଗେଟ କରିଛନ୍ତି।

ନବୀନ ୨୪ ବର୍ଷ ଖାଇଲେ, ମୋହନ ୫ ବର୍ଷ ଖାଇବେ: ତାରା

ଭୁବନେଶ୍ୱର, ୧୬/୧୧: ସରକାରୀ ଅର୍ଥରେ ଦେଶ ବିଦେଶ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗରୀବ ଖଟିଖିଆଙ୍କ ପଇସାରେ ପୁଞ୍ଜି ନିବେଶ ଆଣିବା ବାହାନାରେ ଦେଶ ବିଦେଶ ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ। ଠିକ୍ ଏହିପରି ପୂର୍ବରୁ ନବୀନ ପଟ୍ଟନାୟକ ସରକାରରେ ଥିବା ବେଳେ ସେ ମଧ୍ୟ ଏପରି ବୁଲୁଥିଲେ। ନବୀନଙ୍କ ରାସ୍ତାରେ ଯାଉଛନ୍ତି ମୋହନ। ଏମିତି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

ତାରା ଉଭୟ ବିଜେଡ଼ି ଓ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ରାଜ୍ୟ ସମ୍ପୂର୍ଣ୍ଣ ମରୁଭୂମି ହୋଇଗଲାଣି। ନବୀନ ୨୪ ବର୍ଷ ଖାଇଲେ, ମୋହନ ୫ ବର୍ଷ ଖାଇବେ। ଯାହା ଦ୍ୱାରା ରାଜ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ। ରାଜ୍ୟକୁ ଧ୍ୱଂସ କରିବା ପାଇଁ ସରକାର ଏ ବିଦେଶ ଯାତ୍ରା କରୁଛନ୍ତି। ନବୀନ ସରକାରରେ ଥିବା ବେଳେ ସବୁ ଶିଳ୍ପ‌ ମୁହଁ ଫେରେଇ ନେଇଛନ୍ତି। ପୋସ୍କୋ, ନିପନ, ମିତ୍ତଲ, ଜେଏସଡେବ୍ଲ୍ୟୁ ଭଳି ବହୁ ଶିଳ୍ପ ସଂସ୍ଥା ଫେରିଯାଇଛି। ଯଦି ରାଜ୍ୟରେ ଶିଳ୍ପ ହବ କରିବାକୁ ଚାହୁଁଛନ୍ତି ସରକାର, ତାହାଲେ ରାଜ୍ୟରୁ ବାହାରକୁ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ରୋକ ଲଗାନ୍ତୁ। ଯଦି ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ରୋକ ନ ଲାଗେ ତାହାଲେ ଯେଉଁ ବି ଶିଳ୍ପ ସଂସ୍ଥା ରାଜ୍ୟରେ ନିବେଶ କରିବ ତାହା କିଛି ବର୍ଷ ପରେ ମୁହଁ ଫେରାଇନେବ ବୋଲି ଶ୍ରୀ ବାହିନୀପତି କହିଛନ୍ତି।