ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଓଡ଼ିଶା ଜଣେ ସ୍ନେହୀ ଓ ଦକ୍ଷ ନେତାଙ୍କୁ ହରାଇଲା

ଭୁବନେଶ୍ୱର, ୧୮/୧୧: ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ୍ସରେ ଶୋକ ବ୍ୟକ୍ତ କରି ଲେଖିଛନ୍ତି, ଶ୍ରୀ ଦେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଦାଦା ଜଣେ ମିଷ୍ଟଭାଷୀ ଓ ପରୋପକାରୀ ସ୍ବଭାବର ବ୍ୟକ୍ତି ଥିଲେ। ତାଙ୍କୁ ସବୁବେଳେ ଭେଟିବା ସମୟରେ ତାଙ୍କର ପରିବାର ସଦସ୍ୟଙ୍କଠାରୁ ମିଳିଥିବା ସ୍ନେହ ଆଦର ଅଭୁଲା ରହିବ।

ବିଜେପିର ପ୍ରାରମ୍ଭିକ ପ୍ରଗତି ସମୟରେ ଉପକୂଳ ଓଡ଼ିଶାରେ ଅଭ୍ୟୁଦୋୟର କେନ୍ଦ୍ରବିନ୍ଦୁ ଭାବେ କଟକ ସହରରୁ ଆମ ଦଳର ରାଷ୍ଟ୍ରବାଦୀ ବିଚାରକୁ ଜନପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ। ଦାଦାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ନେହୀ ଓ ଦକ୍ଷ ନେତାଙ୍କୁ ହରାଇଲା। ଜନପ୍ରତିନିଧି ଭାବେ ସେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ କରିଯାଇଛନ୍ତି, ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।