ଖୁବଶୀଘ୍ର ବୈକୁଣ୍ଠଧାମ ଆଶ୍ରମର ବିଶାଳ ସାମ୍ରାଜ୍ୟର ପତନ

ବାସ ଆଉ କିଛି ଘଣ୍ଟାର ଅପେକ୍ଷା…

ଭୁବନେଶ୍ୱର, ୨୧/୧୧: ମାଟିରେ ମିଶିବ ଗତ କିଛି ବର୍ଷ ଧରି ରାଜଧାନୀ ଛାତି ଉପରେ ବେଆଇନ ଭାବେ ତୋଳା ଯାଇଥିବା ବୈକୁଣ୍ଠଧାମ ଆଶ୍ରମ। ସରକାରୀ ଜାଗାରେ ଗଢ଼ି ଉଠିଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମର ବିଶାଳ ସାମ୍ରାଜ୍ୟର ଖୁବଶୀଘ୍ର ପତନ ହେବାକୁ ଯାଉଛି। ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଥିବା ବିବାଦୀୟ ବୈକୁଣ୍ଠ ଧାମ ଆଶ୍ରମକୁ ଆସନ୍ତାକାଲି ଉଚ୍ଛେଦ କରାଯିବ ବୋଲି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କମିସନରେଟ୍ ପୁଲିସ ଉପସ୍ଥିତିରେ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଏକ ଟିମ୍ ସହ ବିଡିଏର ଅଧିକାରୀମାନେ ଆସନ୍ତା କାଲି ସକାଳ ୮ଟାରେ ବୈକୁଣ୍ଠ ଧାମ ଆଶ୍ରମ ଭାଙ୍ଗିବେ।

ଏହାରି ମଧ୍ୟରେ ଅଧିକାରୀମାନେ ଆଶ୍ରମ ଭାଙ୍ଗିବା ନେଇ ଉକ୍ତ ଅଞ୍ଚଳରେ ଘୋଷଣା କରିଛନ୍ତି। ସେମାନେ ଆଶ୍ରମର ଅନ୍ତେବାସୀମାନଙ୍କୁ କୋଠା ଖାଲି କରିବାକୁ ଏବଂ ଉଚ୍ଛେଦ ସମୟରେ ବାଧା ସୃଷ୍ଟି ନ କରିବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ତଥାକଥିତ ନାବାଳକର କଳକି ଅବତାରକୁ ନେଇ ବିବାଦ ସୃଷ୍ଟି ହେବା ପରେ ବୈକୁଣ୍ଠ ଧାମ ଆଶ୍ରମ ଚର୍ଚ୍ଚାକୁ ଆସିଥିଲା। ଜଣେ ୧୮ ବର୍ଷୀୟ ଯୁବକଙ୍କ ପିତା କାଶୀନାଥ ମିଶ୍ର ତାଙ୍କୁ କଳକି ଅବତାର ବା ଭଗବାନ ବିଷ୍ଣୁଙ୍କ ପୁନର୍ଜନ୍ମ ବୋଲି ଦର୍ଶାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣା ପଡ଼ିବା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ଏବଂ ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ପରେ ବୈକୁଣ୍ଠ ଧାମ ଆଶ୍ରମ ବେଆଇନ ଭାବେ ନିର୍ମାଣ ହୋଇଥିବା ସାଧାରଣ ପ୍ରଶାସନ ବିଭାଗ ଜାଣିବାକୁ ପାଇଥିଲା।