ମାଲକାନଗିରିରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓବାଦୀ ନିହତ

ମାଓବାଦୀମାନେ ଛତିଶଗଡ଼ରୁ ଓଡ଼ିଶାକୁ ପ୍ରବେଶ କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ସହିତ ଗୁଳି ବିନିମୟ ହୋଇଥିଲା।

ଗୁରୁତର ଯବାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର

ମାଲକାନଗିରି, ୨୧/୧୧: ମାଲକାନଗିରି ଜିଲ୍ଲା ଏମଭି-୭୯ ଥାନା ଅନ୍ତର୍ଗତ ଛତିଶଗଡ଼ ସୀମାନ୍ତ ଜିନେଲଗୁଡା ଜଙ୍ଗଲରେ ଗୁରୁବାର ଭୋର ସମୟରେ ହୋଇଥିବା ଗୁଳିବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ (ଡିଭିଏଫ) ଯବାନ ଆହତ ହୋଇଛନ୍ତି।

ଛତିଶଗଡ଼ରୁ ଜିନେଲଗୁଡା ଜଙ୍ଗଲକୁ କିଛି ମାଓବାଦୀ ଆସିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜିନେଲଗୁଡା ଜଙ୍ଗଲ ଅଞ୍ଚଳରେ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଯବାନ ଓ ଡିଭିଏଫ୍ ପକ୍ଷରୁ ଅପରେସନ୍ ଆରମ୍ଭ ହୋଇଥିଲା।

ସୁରକ୍ଷାବାହିନୀକୁ ଦେଖି ମାଓବାଦୀମାନେ ପୁଲିସ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଯାହା ପରେ ପ୍ରତି ଯବାବ ଦେଇଥିଲେ ସୁରକ୍ଷାକର୍ମୀ। ଏହି ଗୁଳି ବିନିମୟରେ ଜଣେ ମାଓବାଦୀ ନିହତ ହୋଇଛନ୍ତି।

ମୃତ ମାଓ କ୍ୟାଡରଙ୍କ ପରିଚୟ ମିଳିନଥିବା ବେଳେ ଆହତ ଡିଭିଏଫ ଯବାନଙ୍କ ନାମ ଡମ୍ବରୁଧର ବଡନାୟକ ବୋଲି ଜଣାପଡିଛି। ଯବାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଏୟାରଲିଫ୍ଟ କରାଯାଇଛି। ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଅଧିକ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ପୋଲିସ ଡିଜିପି ୱାଇ.ବି ଖୁରାନିଆ କହିଛନ୍ତି ଯେ, ଛତିଶଗଡ଼ରୁ ନଦୀ ପାର ହୋଇ ଓଡ଼ିଶାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଡଙ୍ଗାରେ ସାବେରୀ ନଦୀ ପାର ହେଉଥିବା ବେଳେ ଏମଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଗାଁରେ ଏହି ଏନକାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।