ମୋଦି ଓ ଶାହ ବାଛିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ଗତ କାଲି ଦିଲ୍ଲୀ ଗସ୍ତରେ ଯାଇ ଆଜି ମୁମ୍ବାଇ ଫେରିଛନ୍ତି ଦେବେନ୍ଦ୍ର ଫଡନାଭିସ।
‘ବର୍ଷା’ ବାହାରେ ସିନ୍ଦେ ସମର୍ଥକଙ୍କ ପ୍ରବଳ ଭିଡ
ନୂଆଦିଲ୍ଲୀ, ୨୬/୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ବିପୁଳ ବ୍ୟବଧାନରେ ବିଜୟୀ ହେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଏପର୍ଯ୍ୟନ୍ତ ଖୁଲାସା ହୋଇନାହିଁ। ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ୍ ଏବଂ ଶିବସେନାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ପାଇଁ ଦୌଡ଼ରେ ଥିବା ବେଳେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଘୋଷଣା କରାଯାଇନାହିଁ। ଅନ୍ୟପଟେ ଏହି ସସପେନ୍ସ ଭିତରେ ଗତ କାଲି ରାତିଠାରୁ ଦିଲ୍ଲୀ ଗସ୍ତରେ ଥିଲେ ଦେବେନ୍ଦ୍ର ଫଡନାଭିସ୍। ଆଜି ମୁମ୍ୱାଇରେ ପହଞ୍ଚି ରାଜ ଭବନ ଅଭିମୁଖେ ଯାଇଛନ୍ତି।
ତେବେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶିବସେନାର ଅନେକ ମନ୍ତ୍ରୀ ସେମାନଙ୍କ ସମର୍ଥନ ଜାରି ରଖିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରଖିବା ପାଇଁ ଦକ୍ଷିଣ ମୁମ୍ବାଇସ୍ଥିତ ତାଙ୍କ ସରକାରୀ ବାସଭବନ ‘ବର୍ଷା’ ସାମ୍ନାରେ ତାଙ୍କ ସମର୍ଥକମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଏ ନେଇ ଭିଡ଼ ନ କରିବାକୁ ସମର୍ଥକମାନଙ୍କୁ ଅପିଲ କରି ସିନ୍ଦେ ଏକ୍ସରେ ଲେଖିଛନ୍ତି, “ମୋ ପ୍ରତି ଭଲ ପାଇବା ଥିବାରୁ କିଛି ଲୋକ ଏକାଠି ହୋଇ ମୁମ୍ବାଇ ଆସିଛନ୍ତି। ଆପଣମାନଙ୍କ ଭଲପାଇବା ପାଇଁ ମୁଁ ଗଭୀର କୃତଜ୍ଞ। କିନ୍ତୁ ମୁଁ ନିବେଦନ କରୁଛି ଯେ ଏଭଳି ଢଙ୍ଗରେ ମୋ ସମର୍ଥନରେ କେହି ଏକାଠି ହୁଅନ୍ତୁ ନାହିଁ।
ଶିବସେନା ନେତା ସଞ୍ଜୟ ରାଉତ ମଙ୍ଗଳବାର କହିଛନ୍ତି ଯେ କେନ୍ଦ୍ର ନେତୃତ୍ବ ଅମିତ ଶାହ ଏବଂ ନରେନ୍ଦ୍ର ମୋଦି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର କରିବେ। ଏକନାଥ ସିନ୍ଦେ କିମ୍ବା ଅଜିତ ପାୱାର ନିଜ ନିଜ ଦଳ ବିଷୟରେ ନିଷ୍ପତ୍ତି ନେଇପାରିବେ ନାହିଁ। ଉଭୟ ଦଳକୁ ନେଇ ଦିଲ୍ଲୀରେ ନିଷ୍ପତ୍ତି ନିଆଯାଉଛି। ଅମିତ ଶାହା ଏବଂ ମୋଦିଜୀ ଏକନାଥ ସିନ୍ଦେ ଏବଂ ଅଜିତ ପାୱାରଙ୍କୁ ନେଇ କ’ଣ କରିବାକୁ ହେବ ତାହା ସେ ସ୍ଥିର କରିବେ। ଶିବସେନା ଓ ଏନସିପି ଦଳ ବିଜେପିର ଦାସ। ମୋଦିଜୀ ଓ ଅମିତ ଶାହଜୀ ଯାହା ବି କହିବେ, ତାହା ମାନିବାକୁ ପଡ଼ିବ ବୋଲି ଶ୍ରୀ ରାଉତ କହିଛନ୍ତି।
ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭାର ସମସ୍ତ ୨୮୮ ଆସନ ପାଇଁ ମତଦାନ ହେବା ପରେ ନଭେମ୍ବର ୨୩ରେ ଭୋଟ ଗଣତି ଶେଷ ହୋଇଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟ ୨୮୮ ଆସନରୁ ୨୩୫ଟି ଆସନରେ ବିଜୟୀ ହୋଇଥିଲା। ସେଥି ମଧ୍ୟରୁ ବିଜେପି ୧୩୧ଟି ଆସନ ହାତେଇ ଥିବା ବେଳେ ଶିବସେନା ୫୭ ଓ ଏନସିପି ୪୧ ଟି ଆସନ ହାତେଇ ଥିଲା।