‘ଆମ ସମ୍ବିଧାନ ଆମ‌ ସ୍ୱାଭିମାନ’ ପଦଯାତ୍ରାରେ ସାମିଲ‌‌ ହେଲେ ମୁଖ୍ୟମନ୍ତ୍ରୀ

କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର, ୨୬/୧୧: ସମ୍ବିଧାନ ଦିବସ ଅବସରରେ ମଙ୍ଗଳବାର ରାଜଧାନୀରେ ଆୟୋଜିତ ‘ଆମ ସମ୍ବିଧାନ, ଆମ ସ୍ୱାଭିମାନ’ ଶୀର୍ଷକ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏଜି ଛକରୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା। ପ୍ରଥମେ ଏଜି ଛକସ୍ଥିତ‌ ସମ୍ବିଧାନ ପ୍ରଣେତା ଡ. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ଏହାପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ବିଭାଗର କର୍ମଚାରୀ ଓ ଯୋଗ ଦେଇଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ। ସମ୍ବିଧାନ ଦିବସ ପାଳନ ପାଇଁ ଆୟୋଜିତ ଏହି ପଦଯାତ୍ରାରେ ୧୦୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଏ। ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତ ଏହାର ସମ୍ବିଧାନ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ୨୦୧୫ରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।