ଲୋକସଭା ସାଂସଦ ଭାବେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା
ଶପଥ ପାଠ କରାଇଲେ ବାଚସ୍ପତି ଓମ୍ ବିର୍ଲା
ପିନ୍ଧିଥିଲେ କେରଳର ପାରମ୍ପରିକ ‘କସାଭୁ’ ଶାଢ଼ି
ନୂଆଦିଲ୍ଲୀ, ୨୮/୧୧: କେରଳର ୱାୟନାଡରୁ ବିଜୟୀ ହେବା ପରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଆଜି ଲୋକସଭା ସାଂସଦ ଭାବେ ଶପଥ ନେଇଛନ୍ତି। ସମ୍ବିଧାନ ପୁସ୍ତକ ଧରି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ସଂସଦରେ ବସିଥିବା ସାଂସଦମାନଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କ ଭାଇ ରାହୁଲ ଗାନ୍ଧି, ମା’ ସୋନିଆ ଗାନ୍ଧୀ, ସ୍ୱାମୀ ରବର୍ଟ ଭଦ୍ରା ଏବଂ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଉପସ୍ଥିତ ଥିଲେ। ପ୍ରିୟଙ୍କା ଶପଥ ଗ୍ରହଣ ଉତ୍ସବରେ କେରଳ କସାଭୁ ଶାଢ଼ି ପିନ୍ଧିଥିବାର ନଜର ଆସିଥିଲେ।
ପ୍ରିୟଙ୍କା ଗାନ୍ଧି ଭଦ୍ରା ଲୋକସଭାକୁ ନିର୍ବାଚିତ ହେବା ପରେ ସଂସଦରେ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ ରହିଛନ୍ତି। ରାହୁଲ ଗାନ୍ଧୀ ରାୟବରେଲିରୁ ଲୋକସଭା ନିର୍ବାଚନରେ ବିଜୟୀ ହୋଇ ସାଂସଦ ଥିବା ବେଳେ ମା’ ସୋନିଆ ଗାନ୍ଧୀ ରାଜ୍ୟସଭା ସାଂସଦ ଅଛନ୍ତି। ନିକଟରେ ପ୍ରିୟଙ୍କା କେରଳ ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୬ ଲକ୍ଷରୁ ଉର୍ଦ୍ଧ୍ଵ ଭୋଟ ପାଇ ବିଜୟୀ ହୋଇଥିଲେ।