ହାଇସିକ୍ୟୁରିଟି ଜୋନରେ ରାଜଧାନୀ ଭୁବନେଶ୍ବର

ଆଜିଠୁ ଭୁବନେଶ୍ୱରରେ ୩ ଦିନିଆ ସର୍ବଭାରତୀୟ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ।

କମିଶନରେଟ ପୋଲିସ ପକ୍ଷରୁ ଖୋଲିଛି ହେଲ୍ପ ଡେସ୍କ

ଭୁବନେଶ୍ୱର, ୨୯/୧୧: ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି ସମ୍ମିଳନୀ। ଶୁକ୍ରବାରଠାରୁ ରବିବାର ପର୍ଯ୍ୟନ୍ତ ତିନିଦିନିଆ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଲୋକସେବା ଭବନର କନଭେନସନ ହଲରେ ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ, ନିଶା କାରବାର, ଏଆଇ ଟେକ୍ନୋଲୋଜି ଓ ଜେଲ ସଂସ୍କାର ଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଏହାକୁ ଉଦଘାଟନ କରିବେ ଅମିତ ଶାହ।

ସମ୍ମିଳନୀରେ ଯୋଗ ଦେବା ପାଇଁ ଅପରାହ୍ନ ୧.୨୫ରେ ଭୁବନେଶ୍ୱର ବିମାନବନ୍ଦରରେ‌ ଆସି ପହଞ୍ଚିବେ ଅମିତ ଶାହ ଓ ଅଜିତ ଡୋଭାଲ। ବିମାନବନ୍ଦରରୁ ସିଧା ସମ୍ମିଳନୀ ଅଭିମୁଖେ ଯିବେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୪.୧୫ରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ବିମାନବନ୍ଦର କ୍ୟାମ୍ପସ ପରିସରରେ ଏକ ସଭାରେ ଯୋଗ ଦେବେ। ସେଠାରୁ ସିଧା ରାଜଭବନ ଅଭିମୁଖେ ଯିବେ। ଏହା ପରେ ସନ୍ଧ୍ୟା ୬ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟର ସମୀକ୍ଷା କରିବା ସହ ସେଠାରେ ରାତ୍ରି ଭୋଜନ ମଧ୍ୟ କରିବେ ଏବଂ ରାଜଭବନ ଯାଇ ସେଠାରେ ରାତ୍ରୀଯାପନ କରିବେ। ତେବେ ପ୍ରଧାନମନ୍ତ୍ରୀ ମୋଦି ୩୦ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୮ଟା ଏବଂ ୧ ତାରିଖ ସକାଳ ୮.୩୦ରୁ ଅପରାହ୍ନ ୪ଟା ଯାଏଁ ସମ୍ମିଳନୀରେ ଯୋଗ ଦେବେ।

ବିଭିନ୍ନ ରାଜ୍ୟର ପୋଲିସ ମୁଖିଆମାନେ ଭୁବନେଶ୍ୱରରେ ଆସି ପହଞ୍ଚି ସାରିଲେଣି। ଅତିଥିଙ୍କୁ ସ୍ୱାଗତ ଓ ସହାୟତା କରିବା ପାଇଁ ବିମାନବନ୍ଦରରେ କମିଶନରେଟ ପୋଲିସ ପକ୍ଷରୁ କ୍ୟାମ୍ପ ସହ ଦୁଇଟି ହେଲ୍ପ ଡେସ୍କ ଖୋଲାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ସ୍ଥାନରେ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି। ରାଜ୍ୟର ଅତିଥି ଭବନରେ ରହିବେ ସବୁ ରାଜ୍ୟର ପୋଲିସ ଡିଜି। ରାଜଧାନୀ ଭୁବନେଶ୍ବରକୁ ହାଇ ସିକ୍ୟୁରିଟି ଜୋନ ମଧ୍ୟରେ ରଖାଯାଇଛି। ଲୋକସେବା ଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ଓ ଆଇପିଏସ୍ ମେସ ସହ ସହରର ସମସ୍ତ ମୁଖ୍ୟ ରାସ୍ତାଘାଟରେ ପୁଲିସ ପଇଁତରା ମାରୁଛି। ସହରର ସମସ୍ତ ପ୍ରବେଶ ପଥରେ ନାକା କରି କଡ଼ା ଯାଞ୍ଚ କରୁଛନ୍ତି ପୋଲିସ ଓ‌ ବିଏସଏଫ। ଏସପିଜି ଓ ଏନଏସଜିର ବରିଷ୍ଠ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ, ୧ ହଜାର ଅଫିସର, ବମ୍ ସ୍କ୍ୱାର୍ଡ, ଡଗ ସ୍କ୍ୱାର୍ଡ ଓ ୩ କମ୍ପାନି କେନ୍ଦ୍ରୀୟ ଫୋର୍ସକୁ ମୁତୟନ କରାଯାଇଛି।

ଭୁବନେଶ୍ୱର ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ୍ସରେ ସୂଚନା ଦେଇ କହିଛନ୍ତି, ଆଜି ଅପରାହ୍ନରେ ମୁଁ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେବି। ଚଳିତ ବର୍ଷ ଜୁନ୍ ମାସରେ କ୍ଷମତାକୁ ଆସିବା ପରଠାରୁ ଓଡ଼ିଶାର ବିଜେପି ସରକାର ରାଜ୍ୟର ଅଭିବୃଦ୍ଧି ଧାରାକୁ ତ୍ୱରାନ୍ୱିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଗରିବ ଓ ଅବହେଳିତ ସମ୍ପ୍ରଦାୟର ଜୀବନରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି ମୋଦି କହିଛନ୍ତି।