ଭୁବନେଶ୍ୱର ସଭାରେ ଜୟ ଜଗନ୍ନାଥରୁ ଆରମ୍ଭ ମୋଦିଙ୍କ ଅଭିଭାଷଣ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

କ୍ଷମତା ପାଇଁ ଚାଲିଛି ଷଡ଼ଯନ୍ତ୍ର: ବିରୋଧୀଙ୍କୁ ସିଧା ନିଶାନା

ଭୁବନେଶ୍ୱର, ୨୯/୧୧: ୩ ଦିନିଆ ରାଜ୍ୟ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନ ବନ୍ଦର ନିକଟରେ ଓଡ଼ିଶା ବିଜେପି ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଜୟ ଜଗନ୍ନାଥରୁ ବକ୍ତବ୍ୟ ଆରମ୍ଭ କରି ସମ୍ବୋଧନ ଦେଇ ମୋଦି କହିଛନ୍ତି, ବାବା ଲିଙ୍ଗରାଜଙ୍କ ମାଟିକୁ ଆସିବାକୁ ସୁଯୋଗ ମିଳିଛି। ବିମାନବନ୍ଦରରେ ଏତେ ସଂଖ୍ୟକ ଲୋକ ମୋତେ ଅଭିଭୂତ କରିଛି। ଓଡ଼ିଶାର ବିକାଶ ପାଇଁ ଆମେ ଲଗାତାର କାମ କରୁଥିଲୁ। ଦେଶବାସୀ ଆମକୁ ଭରସା କରିଛନ୍ତି। ଦେଶବାସୀ ତୃତୀୟ ଥର ଆମକୁ ସୁଯୋଗ ଦେଇଛନ୍ତି। ସାରା ବିଶ୍ୱବାସୀ ଆମ ସଫଳତା ଦେଖୁଛନ୍ତି। ସରକାରଙ୍କ ସଫଳତା ପାଇଁ ଆମକୁ ବାରମ୍ବାର ସୁଯୋଗ ମିଳୁଛି। ରାଜନୀତିରେ ଭିନ୍ନ‌ ଭିନ୍ନ ମତ ହୋଇପାରେ। ରାଜନୀତିରେ ବିଚାରଧାରା ଅଲଗା ହେବା କିଛି ନୂଆ କଥା ନୁହେଁ। ବିରୋଧୀ ଯେପରି ଲୋକଙ୍କ ଉପରେ ରାଗୁଛନ୍ତି, ତାହା ଚିନ୍ତାଜନକ। ଏଠାରେ କ୍ଷମତା ପାଇଁ ଷଡ଼ଯନ୍ତ୍ର ଚାଲିଛି। ଦେଶବାସୀଙ୍କୁ ବର୍ଷ ବର୍ଷ ଧରି ଲୁଟୁ ଥିଲେ। ପୁଣି ଲୁଟିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ଗତ ୧୦ ବର୍ଷ ଧରି କ୍ଷମତାଲୋଭୀମାନେ ଲୋକଙ୍କୁ ଭ୍ରମିତ କରୁଛନ୍ତି। କ୍ଷମତାକୁ କିଛି ଜନ୍ମସିଦ୍ଧ ଅଧିକାର ଭାବୁଥିଲେ। କ୍ଷମତା ପାଇଁ ଏବେ ସେମାନେ ବିଚଳିତ ହୋଇ ଉଠୁଛନ୍ତି। କେହି ଭାବିନଥିଲେ ବିଜେପି ଓଡ଼ିଶାରେ ସରକାର ଗଠନ କରିବ। ବିଜେପିର ଦଳୀୟ କର୍ମକର୍ତ୍ତାଙ୍କ ସାମର୍ଥ୍ୟ ଯୋଗୁଁ ଏହା ହୋଇପାରିଛି। ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଲୋକଙ୍କ ସହ ମିଶୁଛନ୍ତି। ଲୋକ ଭାବୁଛନ୍ତି ମୁଖ୍ୟମନ୍ତ୍ରୀ ଗାଁକୁ ଆସନ୍ତି। ଲୋକଙ୍କ ସହ ବିଜେପିର ସଂସ୍କାର ଏବଂ ନୀତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇ ଜନଜାତିଙ୍କ ଗୌରବ ବଢାଇଛନ୍ତି। ରାଷ୍ଟ୍ରୀୟ ଶିକ୍ଷା ନୀତି ଓଡ଼ିଶାରେ ଲାଗୁ ହୋଇଛି। ରାଜ୍ୟରେ ପ୍ରତିଶ୍ରୁତି ଅନୁଯାୟୀ, ଧାନ ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧିପାଇଛି। ମିଶନ ମୋଡରେ ଅନେକ କାର୍ଯ୍ୟ କରାଯାଉଛି। ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ ହୋଇଛି। ଓଡ଼ିଶାର ୧୩ ଆଦିବାସୀ ସମ୍ପ୍ରଦାୟଙ୍କୁ ପିଏମ୍ ଜନ ଯୋଜନାର ସୁବିଧା ମିଳୁଛି। ମୋଦିଙ୍କ ଗ୍ୟାରେଣ୍ଟି ମାନେ‌ ପୂରଣ କରାଯିବାର ଗ୍ୟାରେଣ୍ଟି। ଓଡ଼ିଶାକୁ ନୂଆ ଉଦ୍ୟୋଗ ଆସିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ହେଉଛି। ଓଡ଼ିଶାରେ ଷ୍ଟାର୍ଟ ଅପ୍ ଇକୋସିଷ୍ଟମ ପାଇଁ ବିଜେପି ଲକ୍ଷ୍ୟ ରଖିଛି। ଓଡ଼ିଶା ଯୁବ ସମାଜକୁ ରୋଜଗାର ମିଳିବ। ସବୁ ଘରକୁ ପାଣି ପହଞ୍ଚାଇବା ପାଇଁ ମିଶନ ମୋଡରେ କାମ କରୁଛୁ। ଓଡ଼ିଶାର‌ ବିକାଶ ଆମର ଲକ୍ଷ୍ୟ। ଓଡ଼ିଶାକୁ ନୂଆ ନୂଆ ଯୋଜନା ସରକାର ଭେଟି ଦେଉଛନ୍ତି। ବିନା ଭେଦଭାବରେ ଆମେ ଓଡିଶାର ବିକାଶ ଚାହିଁଛୁ। ବିଜେପିର କାମକୁ ଦେଖି ଲୋକେ ଭୋଟ ଦେଉଛନ୍ତି। ମହାରାଷ୍ଟ୍ର ଓ ହରିୟାଣାରେ ବିଜେପିର ସଫଳତା ହୋଇଛି। ଓଡ଼ିଶାରୁ ଏହି ସଫଳତାର ଅୟମାରମ୍ଭ ହୋଇଛି। ଓଡ଼ିଶା ବାସୀ ଦିଲ୍ଲୀରେ ହେଉଥିବା ବିକାଶ ଦେଖି ବିଜେପିକୁ ସମର୍ଥନ ଜଣାଇଛନ୍ତି। ଓଡ଼ିଶାକୁ ବଡ଼ ପ୍ରାଥମିକତା ଦେଉଛି କେନ୍ଦ୍ର। ଓଡ଼ିଶାକୁ ସ୍ୱତନ୍ତ୍ର ଅଗ୍ରାଧିକାର ଦେଉଛି। ଓଡ଼ିଶାକୁ ୩ ଗୁଣା ଅଧିକ ଅନୁଦାନ ଦେଇଚାଲିଛି। ଓଡ଼ିଶାର ବିକାଶ ପାଇଁ ନିରନ୍ତର ପ୍ରୟାସ ଚାଲିଛି। ପ୍ରତି କ୍ଷେତ୍ରରେ ଓଡ଼ିଶାର ଅଦ୍ଭୁତ ପୂର୍ବ ବିକାଶ ହୋଇଛି। ଆଗାମୀ ଦିନରେ ବିଶ୍ଵ ନଜର ଓଡ଼ିଶା ଉପରେ ରହିବ। ବିକାଶ ପଦରେ ଆଗେଇ ଚାଲିବ ଓଡ଼ିଶା। ଉତ୍କର୍ଷ ଉତ୍କଳ ଅଭିଯାନ ପାଇଁ ଆମେ କାମ କରିବୁ। ଦେଢ଼ଶହ ବର୍ଷ ଧରି ଦେଶରେ ଡିଜିପି ସମ୍ମିଳନୀ ହେଉଛି, ହେଲେ ଓଡ଼ିଶାରେ ପ୍ରଥମ ଥର ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେଇଛି। ଡିସେମ୍ବର ୪ରେ ଓଡ଼ିଶାରେ ନୌସେନା ଦିବସ ପାଳନ ହେବ। ୮ରୁ ୧୦ ଜାନୁଆରୀରେ ପ୍ରବାସୀ ଭାରତୀୟ ସମ୍ମିଳନୀ ଓଡ଼ିଶାରେ ଅନୁଷ୍ଠିତ ହେବ। ସାରା ବିଶ୍ବରୁ ଲୋକେ ଭୁବନେଶ୍ୱର ଆସିବେ। ଓଡ଼ିଶାରେ ପର୍ଯ୍ୟଟନ ସୁଯୋଗ ବୃଦ୍ଧି ପାଇବ। ସେମାନେ ଫେରିଲା ପରେ ଓଡ଼ିଶାର ଗୁଣଗାନ କରିବେ। ଆମେ ମିଳିମିଶି ଓଡ଼ିଶାର ଗୌରବ ବୃଦ୍ଧି କରିବା। ନିକଟରେ ଓଡ଼ିଶା ପର୍ବରେ ସାମିଲ ହୋଇଥିଲି। ଓଡ଼ିଶା ପର୍ବରେ ଭଲ ମସଲା ଚା’ ପିଇ ଖୁସି ଅନୁଭବ କରିଥିଲି। ଆପଣମାନଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞ।

ଏଠାରୁ ସେ ରାଜଭବନ ଯାଇଛନ୍ତି। ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଦଳର ବିଧାୟକ, ସାଂସଦ, ମନ୍ତ୍ରୀ ଏବଂ କୋର କମିଟି ସଦସ୍ୟଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ଦଳୀୟ ନେତାଙ୍କ ସହ ରାତ୍ରୀ ଭୋଜନ କରିବେ। ସନ୍ଧ୍ୟା ସାଢ଼େ ୮ଟାରେ ପ୍ରଧାନମନ୍ତ୍ରୀ ମୋଦୀ ରାଜଭବନ ଅଭିମୁଖେ ବାହାରିବେ।

ସୂଚନାଯୋଗ୍ୟ, ନଭେମ୍ବର ୩୦ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ହୋଇଥିବା ସର୍ବଭାରତୀୟ ଡିଜିପି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ। ଆଜି ଗୃହମନ୍ତ୍ରୀ ଅମିତ ଶାହ ଏହି ସମ୍ମିଳନୀର ଉଦଘାଟନ କରିଛନ୍ତି।