ଓଡ଼ିଆ ସାମ୍ବାଦିକଙ୍କୁ ପନ୍ନୁର ଓଡିଆ ଲେଖାରେ ଧମକପୂର୍ଣ୍ଣ ମେଲ
ସୁରକ୍ଷା ଦୃଷ୍ଟିରୁ ଲୋକସେବା ଭବନ ନିକଟ ରାସ୍ତା ସିଲ୍ କରାଯାଇଛି।
ଓଡ଼ିଶାରେ ସକ୍ରିୟ ଅଛନ୍ତି କି ଖଲିସ୍ତାନୀ?
ଭୁବନେଶ୍ୱର, ୩୦/୧୧: ଗୋଟିଏ ପଟେ ରାଜଧାନୀ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ। ଅନ୍ୟପଟେ ଗୋଟେ ପରେ ଗୋଟେ ପନ୍ନୁର ଧମକପୂର୍ଣ୍ଣ ବାର୍ତ୍ତା। ପ୍ରଥମେ ଗୁରୁବାର ଦିନ ଡିଜିଟାଲ ସମ୍ମିଳନୀକୁ ଭଣ୍ଡୁର କରି ଦେବାକୁ ଭିଡ଼ିଓ ବାର୍ତ୍ତା ଜାରି କରିଥିଲା ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ। ଆଜି ଭୁବନେଶ୍ୱର ବିମାନବନ୍ଦରରୁ ଉଡାଣ ନ କରିବା ପାଇଁ ଆସିଛି ଧମକପୂର୍ଣ୍ଣ ଅଡିଓ ବାର୍ତ୍ତା। ଏହା ସହ ଡିଜିପି ସମ୍ମିଳନୀ ଉପରେ ଆକ୍ରମଣ କରିବା ପାଇଁ ମଧ୍ୟ ମେସେଜ ଆସିଛି। ଡିସେମ୍ବର ୧କୁ ଡି-ଡେ କରାଯିବ। ଏହି ଦିନ କୌଣସି ବ୍ୟକ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯାଆନ୍ତୁ ନାହିଁ ବୋଲି ଚେତାବନୀ ଦେଇଛି ପନ୍ନୁ। ଖଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଦେବ ବୋଲି ଘୋଷଣା କରିଛି ପନ୍ନୁ।
ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲକୁ୍ ଏକ ଧମକପୂର୍ଣ୍ଣ ଅଡିଓ ଆସିଛି। ଏହା ପରେ ମେଲ ଯୋଗେ କମିଶନରଙ୍କୁ ଅଭିଯୋଗ କରିଛନ୍ତି ସାମ୍ବାଦିକ। ସକାଳ ୯.୪ରେ ମେସେଜ ଆସିଛି। ସେପଟେ ଓଡ଼ିଆରେ ଧମକପୂର୍ଣ୍ଣ ମେସେଜ ଦେଉଛି ପନ୍ନୁ। ଯାହାକୁ ନେଇ ସନ୍ଦେହ ଘନିଭୂତ ହେଉଛି। ପନ୍ନୁ ପାଇଁ ଏହି କାମ କିଏ କରୁଛି? ଓଡ଼ିଶାରେ ଅଛନ୍ତି କି ଖଲିସ୍ତାନୀ ଆତଙ୍କୀ? ପନ୍ନୁଙ୍କ ପାଇଁ କୌଣସି ଏଜେନ୍ସି ଓଡିଆରେ ଲେଖୁଛି ନା ପୂର୍ବରୁ ଏହି ଯୋଜନା କରାଯାଇଥିଲା? ଏଭଳି ଅନେକ ସନ୍ଦେହ ଉପୁଜିଛି। ଓଡ଼ିଆ ସାମ୍ବାଦିକଙ୍କ ମେଲ- ଆଇଡି କିପରି ପନ୍ନୁ ପାଖରେ ପହଞ୍ଚିଲା। ଏହା ପଛରେ କାହାର ହାତ ଅଛି ଏହା ଏକ ବଡ଼ ପ୍ରଶ୍ନ।
ତେବେ ପନ୍ନୁ ପୂର୍ବରୁ ଯେତେ ଥର ବି ଧମକ ଦେଇଛି ଆକ୍ରମଣ ହୋଇନାହିଁ। କିନ୍ତୁ ଏହା ପରେ ବି ସୁରକ୍ଷା ବ୍ୟବସ୍ଥାକୁ ଢିଲା କରାଯାଇ ପାରିବ ନାହିଁ। ଗଣମାଧ୍ୟମ ଓ ପୋଲିସର ଧ୍ୟାନ ଆକର୍ଷଣ ପାଇଁ ଏହି ଧମକ ଦେଇ ଥାଇପାରେ ବୋଲି ଅନୁମାନ କରାଯାଉଛି।
ଏହି ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂହ। ଧମକପୂର୍ଣ୍ଣ ମେଲ ନେଇ ଅଭିଯୋଗ ହୋଇଛି। ଏହା ପରେ କେନ୍ଦ୍ରରୁ ଭୁବନେଶ୍ୱରକୁ ଅତିରିକ୍ତ ଫୋର୍ସ ଆସିଛି। ସ୍ୱତନ୍ତ୍ର ସର୍ଭେଲାନ୍ସ ଟିମ ଗଠନ କରାଯାଇଛି। ସବୁ ଜିନିଷ ଉପରେ ତୀକ୍ଷ୍ମ ନଜର ରଖାଯାଇଛି। ସତ ହେଉ କି ମିଛ ହେଉ, ସବୁ ଧମକପୂର୍ଣ୍ଣ ଭିଡ଼ିଓ ଓ ଅଡିଓର ଯାଞ୍ଚ କରାଯିବ। ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ କଡ଼ାକଡ଼ି କରାଯାଉଛି ବୋଲି ପୋଲିସ କମିଶନର ଦେବଦତ୍ତ ସିଂହ କହିଛନ୍ତି। ଲୋକସେବା ଭବନ ଓ ସେକ୍ରେଟାରୀଏଟ ନିକଟ ରାସ୍ତା ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଚାରିଆଡେ କମିଶନରେଟ ପୋଲିସ ପଇଁତରା ମାରୁଛି।
ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି, ଭୁବନେଶ୍ୱରରେ ପୂର୍ବ ଯୋଜନା ମୁତାବକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୁରୁଖୁରୁରେ ସମ୍ମିଳନୀ ଚାଲିଛି। ସବୁ ସୁରକ୍ଷା ସଂସ୍ଥା ସହ ସମନ୍ୱୟ ରକ୍ଷା କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।