ଭୁବନେଶ୍ୱର, ୩୦/୧୧: ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ସିରିଜ ଦୁର୍ଘଟଣା। ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ୮ଟାରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ତିରିଙ୍ଗ ଥାନା ଅନ୍ତର୍ଗତ ବଡ଼ଦାଲିମା ଛକ ନିକଟରେ ପ୍ରଥମେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ୩ ଜଣ ପଥଚାରୀଙ୍କୁ ଧକ୍କା ଦେବାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟାଇଥିଲା ଟ୍ରକ। ସେଠାରୁ ଆଉ ୫ କିଲୋମିଟର ଆଗକୁ ଯାଇ ବାହାଲଦା ଥାନା ଅନ୍ତର୍ଗତ ବାଗଡେଗା ଠାରେ ଏକ ଯାତ୍ରୀବାହୀ ଅଟୋ ରିକ୍ସାକୁ ସେହି ଟ୍ରକଟି ବେପରୁଆ ଭାବେ ଧକ୍କା ଦେଇଥିଲା। ଏଥିରେ ଅଟୋ ଚାଳକଙ୍କ ସହ ଗାଡ଼ିରେ ଥିବା ଦମ୍ପତିଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ରାସ୍ତା ତଳକୁ ଖସି ପଡ଼ିଥିଲା ଟ୍ରକ ଏବଂ ଜଣକୁ ଅଟକ ରଖାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ମୃତଦେହ ଜବତ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।