ନୂଆଦିଲ୍ଲୀ, ୦୪/୧୨: ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ କ୍ଷମତାକୁ ଫେରିବା ପରେ ଅନେକ ଦିନର ସସପେନ୍ସର ଅନ୍ତ ଘଟାଇ ବୁଧବାର ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ଘୋଷଣା କରିଛି ବିଜେପି। ବିଜେପିର କୋର୍ କମିଟି ବୈଠକରେ ସହମତି ପ୍ରକାଶ ପାଇବା ପରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। ଆସନ୍ତା ୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି।
ବିଜେପି ମହାରାଷ୍ଟ୍ର ସଭାପତି ଚନ୍ଦ୍ରଶେଖର ବାୱନକୁଲେ କହିଛନ୍ତି ଯେ ଫଡନାଭିସ, ସିନ୍ଦେ ଏବଂ ପାୱାର ଗୁରୁବାର ଅପରାହ୍ନ ୫ଟାରେ ମୁମ୍ବାଇର ଆଜାଦ ମୈଦାନରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ।