ପୁରୀ, ୦୪/୧୨: ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୂର୍ବାହ୍ନ ପ୍ରାୟ ୧୦ଟାବେଳେ ରାଷ୍ଟ୍ରପତି ମନ୍ଦିରରେ ପହଞ୍ଚିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଓ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ନିଜ କାରରୁ ଚାଲି ଚାଲି ମନ୍ଦିରକୁ ଯାଇଥିଲେ। ରାଷ୍ଟ୍ରପତି ମୁର୍ମୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପୂଜାର୍ଚ୍ଚନା କରିବା ସହ ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ଯାଇ ସେଠାରେ ମଧ୍ୟ ପୂଜାର୍ଚ୍ଚନା କରିଥିଲେ।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା। ଏହି ଗସ୍ତ ପରେ ରାଷ୍ଟ୍ରପତି ଗଣମାଧ୍ୟମରେ ପ୍ରତିକ୍ରିୟାରେ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ରାଜ୍ୟ ଓ ଦେଶର ମଙ୍ଗଳ କାମନା କରିଥିଲି। ରାଜ୍ୟ ତଥା ଦେଶର ଜନସାଧାରଣ ସୁଖୀ ଓ ସମୃଦ୍ଧ ହୁଅନ୍ତୁ। ଭଗବାନ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ।