ମୁମ୍ବାଇ, ୦୫/୧୨: ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଗୁରୁବାର ମୁମ୍ବାଇରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପାଞ୍ଚ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦକୁ ଫେରିଛନ୍ତି ଫଡନାଭିସ। ମୁମ୍ବାଇରେ ବର୍ଣ୍ଣାଢ଼୍ୟ ଉତ୍ସବରେ ଶପଥ ଗ୍ରହଣ କରିଛନ୍ତି। ଫଡନାଭିସଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଏକନାଥ ସିନ୍ଦେ ଓ ଅଜିତ ପାୱାର। ମୁମ୍ବାଇର ଆଜାଦ ମୈଦାନରେ ଆୟୋଜିତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରିଷଦ ଓ ବିଭିନ୍ନ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଯୋଗୀ ଆଦିତ୍ୟନାଥ, ଭଜନଲାଲ ଶର୍ମା, ପୁଷ୍କର ସିଂହ ଧାମି, ଚନ୍ଦ୍ରବାବୁ ନାଇଡୁ, ନୀତୀଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ଜେପି ନଡ୍ଡା ଏବଂ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ।
ମୁମ୍ବାଇରେ ଆୟୋଜିତ ଏହି ଗ୍ରାଣ୍ଡ ଇଭେଣ୍ଟରେ ବଲିଉଡ୍ ଷ୍ଟାର, କ୍ରୀଡା ଜଗତର ତାରକା ଖେଳାଳି ଓ ପ୍ରମୁଖ ଶିଳ୍ପପତିଙ୍କୁ ଦେଖିବାକୁ ମିଳିଥିଲା। ଶାହାରୁଖ ଖାନ, ସଲମାନ ଖାନ ଏବଂ ରଣବୀର କପୁରଙ୍କ ସମେତ ବଲିଉଡର ଶୀର୍ଷ ତାରକାମାନେ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ତାଙ୍କ ପତ୍ନୀ ଅଞ୍ଜଳି ଉପସ୍ଥିତ ଥିଲେ। ଶିଳ୍ପପତି ମୁକେଶ ଅମ୍ବାନୀ, ଅନିଲ ଅମ୍ବାନୀ, ଅନନ୍ତ ଅମ୍ବାନୀ ଏବଂ କୁମାର ମଙ୍ଗଲମ ବିର୍ଲା ମଧ୍ୟ ଉପସ୍ଥିତ ଥିଲେ। ଆଜାଦ ମୈଦାନରେ ଶପଥ ଗ୍ରହଣ ଉତ୍ସବରେ ପାଖାପାଖି ୪୦ ହଜାର ଲୋକ ଯୋଗ ଦେଇଥିଲେ।