ସମ୍ବିତ ପାତ୍ରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିଲେ ହିବି ଏଡେନ୍

ରାହୁଲଙ୍କୁ ଦେଶଦ୍ରୋହୀ କହିବାରୁ ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ସାଂସଦ ହିବି ଏଡେନ୍।

ମୋ ଭାଇ ପାଇଁ ମୁଁ ଗର୍ବିତ: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ, ୦୬/୧୨: ବିଜେପି ସାଂସଦ ସମ୍ବିତ ପାତ୍ରଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଦାଖଲ କରିଛନ୍ତି ଏର୍ଣ୍ଣାକୁଲମର କଂଗ୍ରେସ ସାଂସଦ ହିବି ଏଡେନ୍।

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖିଥିବା ଚିଠିରେ ଇଡେନ୍ କହିଛନ୍ତି, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସାଂସଦ ସମ୍ବିତ ପାତ୍ରଙ୍କ ସମ୍ପୂର୍ଣ୍ଣ ଅସଂସଦୀୟ ଆଚରଣକୁ ମୁଁ ଆପଣଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଚାହୁଁଛି। ବିରୋଧୀ ଦଳ ନେତାଙ୍କ ବିରୋଧରେ ଏଭଳି ଶବ୍ଦ ବ୍ୟବହାର ଗ୍ରହଣୀୟ ନୁହେଁ। ବିରୋଧୀ ଦଳ ନେତା ପଦ ଏକ ସାମ୍ବିଧାନିକ ପଦ। ତେଣୁ ଏଭଳି ପଦବୀକୁ ଆବଶ୍ୟକ ସଂସଦୀୟ ମର୍ଯ୍ୟାଦା ଦିଆଯିବା ଦରକାର। ଶ୍ରୀ ପାତ୍ର ସମ୍ପୂର୍ଣ୍ଣ ଅପମାନଜନକ ଓ ଅସଂସଦୀୟ ଶବ୍ଦ ପ୍ରୟୋଗ କରି ସ୍ପଷ୍ଟ ଭାବେ ସାମ୍ବିଧାନିକ ନିୟମକୁ ଉଲ୍ଲଂଘନ କରିଛନ୍ତି ଏବଂ ତାଙ୍କୁ ଅବମାନନା କରାଯିବା ଉଚିତ। ଯେଉଁ ନେତାଙ୍କ ପରିବାର ଦେଶ ପାଇଁ ଏତେ ବଳିଦାନ ଦେଇଛନ୍ତି, ତାଙ୍କୁ ନେଇ ଶାସକ ଦଳର ଜଣେ ସଦସ୍ୟ ଏଭଳି ଭାଷାରେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଲଜ୍ଜାଜନକ ବୋଲି ଏଡେନ୍ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୫ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ସାଂସଦ ଶ୍ରୀ ପାତ୍ର ଗାନ୍ଧୀଙ୍କୁ ‘ସର୍ବୋଚ୍ଚ ସ୍ତରର ଦେଶଦ୍ରୋହୀ’ ବୋଲି ଆକ୍ଷେପ କରି କହିଥିଲେ ଯେ, ରାହୁଲ ଗାନ୍ଧୀ ଆମେରିକାର କୋଟିପତି ନିବେଶକ ଜର୍ଜ ସୋରୋସ୍ ଏବଂ ଆମେରିକାର ତ୍ରିକୋଣୀୟ ଗ୍ରୁପ ସହ ମିଶି ଭାରତକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଦେଶରେ ଶାସନ ପରିବର୍ତ୍ତନ ପାଇଁ ଜନ ଅସନ୍ତୋଷ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ସହ ମିଶି ଭାରତର ଅର୍ଥନୀତି ଓ ଶିଳ୍ପପତିମାନଙ୍କୁ ଟାର୍ଗେଟ କରାଯାଉଛି। ଆମେରିକାର ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ପୋର୍ଟାଲ ଓସିସିଆରପି ମାଧ୍ୟମରେ ଜର୍ଜ ସୋରୋସ ଭାରତ ବିରୋଧୀ ଏଜେଣ୍ଡା ବ୍ୟବହାର କରନ୍ତି ଓ ଭାରତ ବିରୋଧରେ ପ୍ରଚାର‌ ପ୍ରସାର କରନ୍ତି। ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ ଭେଟିଛନ୍ତି। ଯେଉଁମାନେ ଭାରତକୁ ଘୃଣା କରନ୍ତି ସେମାନେ ରାହୁଲ ଗାନ୍ଧୀଙ୍କୁ ଭଲ ପାଆନ୍ତି। ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି କହିବାରେ ମୁଁ ଦ୍ୱିଧା ମନେ କରେନି ବୋଲି ସାଂସଦ ଶ୍ରୀ ପାତ୍ର କହିଥିଲେ। ଉଲ୍ଲେଖଯୋଗ୍ୟ, ଆଦାନୀ‌ ପ୍ରସଙ୍ଗକୁ କେନ୍ଦ୍ରକରି ବିରୋଧୀ ଦଳ ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରୁଛି। ସଂସଦରେ ଆଦାନୀ ମାମଲାକୁ ନେଇ ହଟ୍ଟଗୋଳ ହେବା ସହ ଗୃହ ସୁରୁଖୁରୁରେ ଚାଲି ପାରୁନାହିଁ।

ସେପଟେ ଶ୍ରୀ ପାତ୍ରଙ୍କୁ କଡ଼ା ସମାଲୋଚନା କରି ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ ତାଙ୍କ ଭାଇ ତଥା ରାଏବରେଲି ସାଂସଦ ରାହୁଲ ଗାନ୍ଧିଙ୍କ ପାଇଁ ‘ଦେଶଠୁ ଉପରେ ଆଉ କିଛି ନାହିଁ’। ଯେଉଁମାନେ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କୁ ଦେଶଦ୍ରୋହୀ କହିପାରନ୍ତି, ସେମାନେ ରାହୁଲ ଗାନ୍ଧୀଙ୍କୁ ଏପରି କହିବାରେ କିଛି ନୂଆ ନାହିଁ। ମୁଁ ମୋ ଭାଇପାଇଁ ଗର୍ବିତ। ତାଙ୍କ ପାଇଁ ଏହି ଦେଶଠାରୁ ଉପରେ କିଛି ବି ନାହିଁ। ଦେଶର ଏକତା ପାଇଁ ସେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୪ ହଜାର କିଲୋମିଟର ଚାଲି ଚାଲି ଯାଇଥିଲେ। ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବାକୁ ସେମାନଙ୍କର ସାହସ ନାହିଁ, ତେଣୁ ସେମାନେ ଏଭଳି ଅଭିଯୋଗ କରୁଛନ୍ତି ମୁଁ ମୋ ଭାଇପାଇଁ ଗର୍ବିତ। ତାଙ୍କ ପାଇଁ ଏହି ଦେଶଠାରୁ କିଛି ବି ଉଚ୍ଚରେ ନାହିଁ। ଦେଶର ଏକତା ପାଇଁ ସେ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୪ ହଜାର କିଲୋମିଟର ଚାଲି ଚାଲି ଯାଇଥିଲେ। ଆଦାନୀ ପ୍ରସଙ୍ଗରେ ଆଲୋଚନା କରିବାକୁ ସେମାନଙ୍କର ସାହସ ନାହିଁ, ତେଣୁ ସେମାନେ ଏଭଳି ଅଭିଯୋଗ କରୁଛନ୍ତି ବୋଲି ପ୍ରିୟଙ୍କା ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।