ବିଜେପିରେ ଜେପିଙ୍କ ସ୍ଥାନ ନେବେ ଡିପି!

ବିଜେପି ରାଷ୍ଟ୍ରୀୟ ସଭାପତି ଦୌଡ଼: ସବୁଠୁ ଆଗରେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୦୭/୧୨: ଡିସେମ୍ବର ସୁଦ୍ଧା ଶେଷ ହେବାକୁ ଯାଉଛି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ। ଗତ ଜୁନ ମାସରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସରିବାକୁ ଥିବା ବେଳେ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ନିର୍ବାଚନକୁ ଦୃଷ୍ଟିରେ ରଖି ନଡ୍ଡାଙ୍କ କାର୍ଯ୍ୟକାଳକୁ ଡିସେମ୍ବର ଯାଏଁ ବର୍ଦ୍ଧିତ କରାଯାଇଥିଲା। ଗତ ନିର୍ବାଚନରେ ନଡ୍ଡାଙ୍କ ଭୂମିକା ବହୁତ ଗୁରୁତ୍ୱ ବହନ କରିଥିଲା।

ଏହାରି ଭିତରେ ବିଜେପି ରାଷ୍ଟ୍ରୀୟ ସଭାପତି ପଦ ପାଇଁ କେତେକ ଚେହେରାକୁ ନେଇ ବଡ଼ ଚର୍ଚ୍ଚା ହେଉଛି। ଏହି ପଦ ପାଇଁ ଦୌଡ଼ରେ ଅଛନ୍ତି ରାଜନୀତିର କେତେକ ଚର୍ଚ୍ଚିତ ଚେହେରା। ଉତ୍ତରପ୍ରଦେଶର ଧର୍ମେନ୍ଦ୍ର ଯାଦବ, ମନୋହର ଲାଲ ଖଟ୍ଟର, ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂହ ଚୌହାନଙ୍କ ନାମ ରେସରେ ଅଛି। ତେବେ ସବୁଠୁ ଆଗରେ ରହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ରଣନୀତି ସଫଳ ରୁପାନ୍ତରିତ ହେଉଥିବାର ଅନେକ ଥର ପରିଲକ୍ଷିତ ହୋଇଛି। ଯେପରିକି ଗତ ହରିୟାଣା ଇଲେକ୍ସନରେ ବିଜେପି ପରାଜୟ ସବୁଠି ଦେଖା ଯାଉଥିଲା। ଗତ ୧୦ ବର୍ଷ ଧରି ବିଜେପି ହରିୟାଣାରେ ଶାସକ ଥିବା ବେଳେ ତା ବିରୋଧରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଉଥିଲା। ଏକ୍ଜିଟ ପୋଲ ମଧ୍ୟ ବିଜେପି ସପକ୍ଷରେ ଯାଇ ନଥିଲା। କିନ୍ତୁ ସବୁ କଳ୍ପନାଜଳ୍ପନାକୁ ମାତ ଦେଇ ବିଜେପି ଇତିହାସ ସୃଷ୍ଟି କରିଥିଲା। କିପରି କମ୍ କଥାରେ କାମ ଅଧିକ କରି ହୁଏ, ତା’ର ଶ୍ରେଷ୍ଠ ଉଦାହରଣ ଦେଖିବାକୁ ମିଳିଥିଲା ଧର୍ମେନ୍ଦ୍ରଙ୍କ ପାଖରେ। ହରିୟାଣାରେ ଗତ କିଛି ମାସ ଧରି ଦେଖା ଦେଉଥିବା ରାଜନୈତିକ ଅସ୍ଥିରତା ବିଜେପିକୁ ଭାରି ପଡ଼ିପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ହରିୟାଣାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଠିକ୍ ରଣନୀତି ଯୋଗୁଁ ଶେଷରେ ବିରୋଧୀ ଦଳ ଉପରେ ପଲା ଭାରି ପଡ଼ିଥିଲା। ବିଜେପିର ଅପ୍ରତ୍ୟାଶିତ ବିଜୟ ସମସ୍ତଙ୍କୁ ଚକିତ କରିଥିଲା। ହାରିବାର ଖେଳକୁ ଜିତିବାରେ ରୂପାନ୍ତରିତ କରିଥିଲେ ଧର୍ମେନ୍ଦ୍ର।

ସେହିପରି ଏଥର ଓଡ଼ିଶାରେ ମଧ୍ୟ ରାଜନୀତି ସମୀକରଣ ସମ୍ପୂର୍ଣ୍ଣ ରୂପେ ବଦଳାଇବାରେ ସକ୍ଷମ ହୋଇଥିଲେ ଧର୍ମେନ୍ଦ୍ର। ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର‌ ଗାଦିକୁ କିଛି କ୍ଷଣରେ ଦୋହଲାଇ ଦେଇଥିଲେ ଧର୍ମେନ୍ଦ୍ର। ଧର୍ମେନ୍ଦ୍ରଙ୍କ ସଠିକ୍ ଓ ସୁଫଳ ରଣନୀତି ଯୋଗୁଁ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୨୦ଟି ଅକ୍ତିଆର କରି ନେଇଥିଲା ବିଜେପି। ଯାହା ସବୁଠୁ ଆଶ୍ଚର୍ଯ୍ୟଜନକ ଥିଲା। ଏତେ ବର୍ଷ ଧରି ବିଜେଡ଼ି ଶାସନ କରିବା ପରେ ମଧ୍ୟ ଗୋଟିଏ ବି ସିଟ୍ ଦଖଲ କରି ପାରିନଥିଲା। ବିଜେପି ପ୍ରଥମ କରି ଓଡ଼ିଶାରେ ଏକାକୀ ଶାସନ କରିବାର ସୁଯୋଗ ପାଇଲା। ଧର୍ମେନ୍ଦ୍ରଙ୍କ ପ୍ରବଳ ରାଜନୈତିକ ଦକ୍ଷତା ଯୋଗୁଁ ସେ ମୋଦୀଙ୍କ ବିଶ୍ୱାସ ଭାଜନ ହୋଇ ପାରିଛନ୍ତି।

ଧର୍ମେନ୍ଦ୍ର ପୂର୍ବରୁ ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚା ସଭାପତି ମଧ୍ୟ ରହିଥିଲେ। ଯାହା ଫଳରେ ଦେଶର ପ୍ରାୟ ସବୁ ରାଜ୍ୟରେ ଓ ଜିଲ୍ଲାରେ ଦଖଲ ମଧ୍ୟ ରହିଛି। ବେଶୀ କଥା ନକହି କାମ ଅଧିକ କରୁଥିବାରୁ ତାଙ୍କର ଅଧିକ ପତିଆରା ମଧ୍ୟ ରହିଛି। ଆରଏସଏସର ଶୀର୍ଷ ନେତୃତ୍ୱଙ୍କ ସହ ମୋଦୀ ଓ ଅମିତ ଶାହଙ୍କ ସହ ତାଙ୍କ ଯୋଗସୂତ୍ର ଅତି ଉଚ୍ଚକୋଟୀର। ତେଣୁ ବିଜେପିକୁ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇବାରେ ଧର୍ମେନ୍ଦ୍ରଙ୍କ‌ ବହୁ ଅବଦାନ ରହିଥିବାରୁ ବିଜେପିର ଶୀର୍ଷ ନେତୃତ୍ବଙ୍କ ତରଫରୁ ଏହା ଏକ ବଡ଼ ପୁରସ୍କାର ହୋଇପାରେ ବୋଲି ରାଜନୀତି ସମୀକ୍ଷକ ଅନୁମାନ କରୁଛନ୍ତି।

ଯଦି ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୁଅନ୍ତି ତାହାଲେ ତାଙ୍କୁ ବହୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡିପାରେ। ନିଶ୍ଚୟ ୨୦୨୯ ନିର୍ବାଚନକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ବାଛି ପାରନ୍ତି ଶୀର୍ଷ ନେତୃତ୍ୱ। ଏବେ ଦେଖିବା ବାକି ରହିଲା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଶୀର୍ଷ ନେତୃତ୍ୱ।