ଆଉ ନାହାନ୍ତି ବେଙ୍ଗାଲୁରୁକୁ ବିଶ୍ୱବିଦିତ କରିଥିବା ଏସ୍ ଏମ୍ କ୍ରିଷ୍ଣା

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର‌ ରାଜ୍ୟପାଳ ଏସ୍ ଏମ୍ କ୍ରିଷ୍ଣାଙ୍କର ଗତ କାଲି ମଧ୍ୟରାତ୍ରୀରେ ପରଲୋକ ଘଟିଛି।

୨୦୨୩ରେ ପାଇଥିଲେ ପଦ୍ମ ବିଭୂଷଣ ସମ୍ମାନ

କର୍ଣାଟକ, ୧୦/୧୨: ପରଲୋକରେ ବେଙ୍ଗାଲୁରୁକୁ ବିଶ୍ୱ ବିଦିତ କରିଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର‌ ରାଜ୍ୟପାଳ ଏସ୍ ଏମ୍ କ୍ରିଷ୍ଣା। ଗତ କାଲି ମଧ୍ୟରାତ୍ରୀ ୨ଟା ୪୫ ମିନିଟ୍ ରେ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।

ଏସ୍ ଏମ୍ କ୍ରିଷ୍ଣାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର‌ ଛାୟା ଖେଳିଯାଇଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆଇଟି କ୍ଷେତ୍ରକୁ ପ୍ରୋତ୍ସାହନ ଦିଆଯାଇଥିଲା। ବେଙ୍ଗାଲୁରୁକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିବା ଫଳରେ ତାହା ଭାରତର ‘ସିଲିକନ୍ ଭ୍ୟାଲି’ ଭାବରେ ପରିଚିତ ହୋଇ ପାରିଥିଲା। ବେଙ୍ଗାଲୁରୁରେ ଆଇଟି କ୍ଷେତ୍ରରେ ବିକାଶ ପାଇଁ ତାଙ୍କର ବହୁ ଅବଦାନ ରହିଛି।

ଶ୍ରୀ କ୍ରିଷ୍ଣା ୧୯୩୨ ମସିହା ମେ ୧ ତାରିଖରେ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ କ୍ରିଷ୍ଣା ମଇସୁରର ମହାରାଜା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ ଏବଂ ବେଙ୍ଗାଲୁରୁର ସରକାରୀ ଆଇନ ମହାବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ଆମେରିକା ଚାଲି ଯାଇଥିଲେ।

୧୯୬୨ ମସିହାରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ପ୍ରଜା ସୋଶାଲିଷ୍ଟ ପାର୍ଟିରେ କିଛି ସମୟ ରହିବା ପରେ ସେ ୧୯୭୧ରେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ଯ କରିଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ ଏବଂ ୨୦୦୯ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ। ସେ ଉପମୁଖ୍ୟମନ୍ତ୍ରୀ, କର୍ଣ୍ଣାଟକ ବିଧାନସଭାର ବାଚସ୍ପତି ମଧ୍ୟ ରହିଥିଲେ। କର୍ଣାଟକ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

ତେବେ କଂଗ୍ରେସ ସହ ପ୍ରାୟ ୫୦ ବର୍ଷ କାର୍ଯ୍ୟ କରିବା ପରେ ୨୦୧୭ ମାର୍ଚ୍ଚରେ ଏସ୍ ଏମ୍ କ୍ରିଷ୍ଣା ବିଜେପିରେ ଯୋଗ ଦେଇଥିଲେ। ରାଜନୀତିରେ ଛଅ ଦଶନ୍ଧି ରହିବା ପରେ ଶ୍ରୀ‌ କ୍ରିଷ୍ଣା ୨୦୨୩ ଜାନୁଆରୀରେ ରାଜନୀତିରୁ ଅବସର ଘୋଷଣା କରିଥିଲେ। ୨୦୨୩ରେ କ୍ରିଷ୍ଣାଙ୍କୁ ଭାରତର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିଲା।