ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ଘେରରେ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ

ହାଜର ହେବା ପାଇଁ ସିବିଆଇ ପକ୍ଷରୁ ସମନ ଜାରି

ଭୁବନେଶ୍ୱର, ୧୪/୧୨: ଗତ ଡିସେମ୍ବର ୭ ତାରିଖରେ ମେଫେୟାର ହୋଟେଲ ନିକଟରେ ଥିବା ଏକ ମର୍ସିଡିଜ କାରରୁ ନଗଦ ୧୦ ଲକ୍ଷ ଟଙ୍କା ଜବତ ମାମଲାରେ ଫସିଛନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ। ଟେଣ୍ଡର ଫିକ୍ସିଂ ଘଟଣାରେ ବିଷ୍ଣୁପଦ ସେଠୀ ଓ ତାଙ୍କ ଡ୍ରାଇଭରଙ୍କୁ ଡିସେମ୍ବର ୧୦ରେ ସମନ ଜାରି କରିଥିଲା ସିବିଆଇ। ଭୁବନେଶ୍ୱର ସିବିଆଇ ଅଫିସରେ ୧୧ ତାରିଖ ଦିନ ୧୦ଟାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଆସିଥିଲା।

ସୂଚନା ଅନୁଯାୟୀ, ସିବିଆଇ ଚଢ଼ାଉରେ ଧରା ପଡ଼ିଥିବା ୩ ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କୁ ଗିରଫ କରାଯାଇଛି। ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ। ଟେଣ୍ଡର ଫିକ୍ସ କରିବା ପାଇଁ ଏହି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ତେଣୁ ସମସ୍ତ ସୂଚନା ପାଇଁ ସିବିଆଇ ଆଇଏଏସ ବିଷ୍ଣୁପଦ ସେଠୀ ଓ ତାଙ୍କ ଡ୍ରାଇଭରଙ୍କୁ ସମନ ଜାରି କରିଥିଲା।

ବିଷ୍ଣୁପଦ ସେଠୀ  ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଏହି ବିଭାଗ ଗୁଡ଼ିକର ଅନେକ ଗୁଡିଏ ପ୍ରକଳ୍ପ ନିର୍ମାଣାଧୀନ ହୋଇ ରହିଛି। ତେଣୁ ଅଧିକ ତଦନ୍ତ ପାଇଁ ଡ୍ରାଇଭରଙ୍କୁ ତଦନ୍ତ ପରିସରଭୁକ୍ତକୁ ଆଣିଲେ ଅନେକ ତଥ୍ୟ ସାମ୍ନାକୁ ଆସିପାରେ। ତେବେ ଆଇଏଏସ୍ ଅଧିକାରୀ ଏ ସଂକ୍ରାନ୍ତରେ ମୁହଁ ଖୋଲି ନାହାନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଧିନରେ‌ ଥିବା‌ ଆଉ କୌଣସି ଅଧିକାରୀ ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।