ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ: ମୃତ ରେବତୀଙ୍କ ସ୍ୱାମୀ
ତେଲେଙ୍ଗାନା ହାଇକୋର୍ଟରୁ ମିଳିଲା ଜାମିନ
ଆନ୍ଧ୍ରପ୍ରଦେଶ, ୧୩/୧୨: ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ଚିକ୍କାଡପଲ୍ଲୀ ପୁଲିସ ଗିରଫ କରିବାର କିଛି ଘଣ୍ଟା ପରେ ମିଳିଛି ଆଶ୍ୱସ୍ତି। ପୁଷ୍ପା-୨ର ପ୍ରିମିୟର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଘଟିଥିବା ଘଟଣାରେ ଅଲ୍ଲୁଙ୍କର କୌଣସି ଦୋଷ ନାହିଁ ଏବଂ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବେ ବୋଲି କହିଛନ୍ତି ଏହି ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ମହିଳା ରେବତୀଙ୍କ ସ୍ୱାମୀ ମାଗୁଡାମପଲ୍ଲୀ ଭାସ୍କର। ସେ ଅଭିନେତାଙ୍କୁ ମୁକ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି।
ସେ କହିଛନ୍ତି, “ମୋ ପୁଅ ଫିଲ୍ମ ଦେଖିବାକୁ ଚାହୁଁଥିଲା। ତେଣୁ ସେ ତାଙ୍କ ପୁଅଙ୍କୁ ସନ୍ଧ୍ୟା ଥିଏଟରକୁ ନେଇଯାଇଥିଲେ। ଅଲ୍ଲୁ ଅର୍ଜୁନ ସେଠାକୁ ଆସିବାରେ ତାଙ୍କର କୌଣସି ଦୋଷ ନାହିଁ। ସେ ଏହି ମାମଲା ସହିତ ଜଡିତ ନୁହଁନ୍ତି। ମୁଁ ମଧ୍ୟ ତାଙ୍କ ଗିରଫଦାରୀ ବିଷୟରେ ଜାଣି ନଥିଲି। ମୁଁ ଡାକ୍ତରଖାନାରେ ଥିବା ବେଳେ ମୋ ଫୋନରେ ଏହି ଖବର ଦେଖିଥିଲି। ଯଦି ସେପରି କିଛି ହୁଏ, ତେବେ ମୁଁ ଅଭିଯୋଗ ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ଏହି ଦଙ୍ଗାରେ ଶ୍ରୀ ଭାସ୍କରଙ୍କ ୮ ବର୍ଷର ପୁଅ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେପଟେ ଜାମିନ ଆବେଦନ ପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଲ୍ଲୁ। ଅଲ୍ଲୁଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ତେଲେଙ୍ଗାନା ହାଇକୋର୍ଟ। ଗିରଫ ହେବାର ୫ ଘଣ୍ଟା ପରେ ତାଙ୍କୁ ଜାମିନ ମିଳିଛି।