ମ୍ୟୁଜିକ୍ କନସର୍ଟରେ ହିଜାବ ନ ପିନ୍ଧିବାରୁ ଅପରାଧିକ ମାମଲା ରୁଜୁ

ଗତ କାଲିଠୁ ଇରାନରେ ଲାଗୁ ହୋଇଛି ନୂଆ ଆଇନ: ମିଳିପାରେ ଜେଲ ଦଣ୍ଡାଦେଶ

ଇରାନ, ୧୪/୧୨: ଅନଲାଇନ କନସର୍ଟରେ ହିଜାବ ନ ପିନ୍ଧିବାରୁ ଜଣେ ଗାୟିକାଙ୍କ ବିରୋଧରେ ରୁଜୁ ହେଲା ମାମଲା। ଇସ୍ଲାମିକ ରିପବ୍ଲିକ ଜାରି କରିଥିବା କଠୋର ଡ୍ରେସ୍ କୋଡକୁ ଉଲ୍ଲଂଘନ କରି ହିଜାବ ନ ପିନ୍ଧି ଏକ ଅନଲାଇନ୍ କନସର୍ଟରେ ପରିବେଷଣ କରିଥିବା ଜଣେ ଇରାନୀ ଗାୟିକାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗାୟିକାଙ୍କ ଦ୍ୱାରା ଆଇନଗତ ଏବଂ ଧାର୍ମିକ ମାନଦଣ୍ଡ ଉଲ୍ଲଂଘନ ହେବା ଖବର ସାମନାକୁ ଆସିବା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ବୁଧବାର ବିଳମ୍ବିତ ରାତିରେ ପାରୁସା ଅହମ୍ମଦୀ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏକ ସଙ୍ଗୀତ ପରିବେଷଣ କରି ଅପଲୋଡ଼ କରିଥିଲେ। ଏଥିରେ ସେ ହିଜାବ ନ ପିନ୍ଧି ସାଧାରଣ ପୋଷାକରେ ନଜର ଆସିଥିଲେ।

ଇରାନରେ ସୁଟିଂ ହୋଇଥିବା ଏହି କନସର୍ଟରେ ଦର୍ଶକ ନଥିଲେ। କାରାଭାନସେରାଇ କମ୍ପ୍ଲେକ୍ସ ପଡ଼ିଆରେ ଏକ ଷ୍ଟେଜ ବାହାରେ ଅହମ୍ମଦୀ ଏବଂ ତାଙ୍କ ଚାରି ଜଣିଆ ଟିମ୍ ଗୀତ ପରିବେଷଣ କରିଥିଲେ। ଇରାନର ନ୍ୟାୟପାଳିକାର ଗାୟିକା ଏବଂ ତାଙ୍କ ପ୍ରଡକ୍ସନ୍ କର୍ମଚାରୀଙ୍କ ବିରୋଧରେ ଏକ ଆଇନଗତ ମାମଲା ରୁଜୁ ହୋଇଛି।

୧୯୭୯ ଇସଲାମିକ ବିପ୍ଳବ ପରେ ଲାଗୁ ହୋଇଥିବା ନିୟମ ଅନୁଯାୟୀ ଇରାନୀ ମହିଳାମାନେ ସର୍ବସାଧାରଣରେ ନିଜ କେଶ ଢାଙ୍କିବା ଆବଶ୍ୟକ। ଏଥିସହ ସେମାନଙ୍କୁ ସର୍ବସାଧାରଣରେ ଗୀତ ଗାଇବାକୁ ମଧ୍ୟ ଅନୁମତି ଦିଆଯାଉନାହିଁ।

ସେପଟେ ଶୁକ୍ରବାରଠାରୁ ଲାଗୁ ହୋଇଥିବା ନୂଆ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ଅହମ୍ମଦୀଙ୍କ କନସର୍ଟର ପ୍ରସାରଣ କରାଯାଇଥିଲା। ଏହି ନୂଆ ଆଇନରେ ହିଜାବ ପରିଧାନ ନ କଲେ ଓ ଏହି ହିଜାବ ପରିଧାନ ଆଇନକୁ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କୁ ମୃତ୍ୟୁଦଣ୍ଡ କିମ୍ବା ୧୫ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ମିଳିବ।