ଭୁବନେଶ୍ୱର, ୧୬/୧୨: ବିଳମ୍ବରେ ମିଳିବ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଅର୍ଥ। ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଚାଲୁଥିବାରୁ ଅର୍ଥ ବଣ୍ଟନରେ ବିଳମ୍ବ ହେଉଛି। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଡିସେମ୍ବର ୨୫ରେ ମିଳିବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଅର୍ଥ ପ୍ରଦାନକୁ ସ୍ଥଗିତ ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ସୁଭଦ୍ରା ଅଭିଯୋଗ ପୋର୍ଟାଲକୁ ଯାଇ ହିତାଧିକାରୀମାନେ ସମ୍ମୁଖୀନ ହେଉଥିବା ଯେକୌଣସି ସମସ୍ୟା ସମ୍ପର୍କରେ ଜଣାଇବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅନୁରୋଧ କରିଛନ୍ତି। ଏହାବ୍ୟତୀତ ରାଜସ୍ୱ ନିରୀକ୍ଷକ (ଆରଆଇ) ଫିଲ୍ଡ ଭେରିଫିକେସନ କରୁଥିବା ବେଳେ ଅଙ୍ଗନବାଡି କର୍ମୀମାନେ ଗାଁ ଗାଁ ବୁଲି ଯାଞ୍ଚ କରୁଛନ୍ତି।
ବିଶେଷକରି ଯେଉଁମାନଙ୍କର ଜମିଜମା ସଂକ୍ରାନ୍ତୀୟ ସମସ୍ୟା କିମ୍ବା ବ୍ୟାଙ୍କ ଓ ଆଧାର ବିବରଣୀରେ ତ୍ରୁଟି ରହିଛି ସେମାନଙ୍କୁ ଏହି ତାଲିକାରୁ ସାମୟିକ ଭାବେ ବାଦ୍ ଦିଆଯାଇଛି। ଏସବୁ ସମସ୍ୟାର ସମାଧାନ ପାଇଁ ଭେରିଫିକେସନ ଟିମ୍ କାର୍ଯ୍ୟ କରୁଛନ୍ତି ଏବଂ ହିତାଧିକାରୀଙ୍କୁ ସେମାନଙ୍କ ସଠିକ୍ ବିବରଣୀ ସୁଭଦ୍ରା ତଦନ୍ତ କାରୀ ଟିମ୍ ନିକଟରେ ଦାଖଲ କରିବାକୁ କୁହାଯାଉଛି। ଏଥିସହିତ ଲୋକମାନେ ବ୍ଲକ କାର୍ଯ୍ୟାଳୟରେ ସେମାନଙ୍କ ପ୍ରତ୍ୟାଖ୍ୟାନର ବିବରଣୀ ଲେଖି ଏକ ଚିଠି ଦାଖଲ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।