ପରଲୋକରେ ବିଶିଷ୍ଟ ତବଲା ବାଦକ ପଦ୍ମ ବିଭୂଷଣ ଜାକିର ହୁସେନ
ହୃଦଘାତ ଜନିତ ସମସ୍ୟା ପାଇଁ ଆଇସିୟୁରେ ଭର୍ତ୍ତି ଥିଲେ।
ସବୁରି ମହଲରେ ଶୋକରେ ଛାୟା
ନୂଆଦିଲ୍ଲୀ, ୧୫/୧୨: ବିଶିଷ୍ଟ ତବଲା ବାଦକ ତଥା ପଦ୍ମ ବିଭୂଷଣ ଜାକିର ହୁସେନଙ୍କର ପରଲୋକ ଘଟିଛି। ସାନ୍ ଫ୍ରାନ୍ସିସ୍କୋସ୍ଥିତ ଏକ ଘରୋଇ ହସ୍ପିଟାଲରେ ୭୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦରୋଗ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଆମେରିକାର ଏକ ହସ୍ପିଟାଲରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ହୁସେନଙ୍କ ମୃତ୍ୟୁ ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।
ସଙ୍ଗୀତରେ ଉପଲବ୍ଧି ପାଇଁ ସେ ଉଭୟ ଭାରତ ସହ ବିଶ୍ୱସ୍ତରରେ ଖ୍ୟାତି ଅର୍ଜ୍ଜନ କରି ପାରିଥିଲେ। ତବଲାକୁ ବିଶ୍ୱ ସ୍ତରକୁ ଆଣିଥିବା ଜାକିର ହୁସେନ ପ୍ରଖ୍ୟାତ ତବଲା ବାଦକ ଆଲ୍ଲା ରାଖାଙ୍କ ବଡ଼ ପୁଅ ଥିଲେ।
ହୁସେନ ତାଙ୍କ କ୍ୟାରିୟରରେ ପାଞ୍ଚଟି ଗ୍ରାମି ପୁରସ୍କାର ହାସଲ କରିଛନ୍ତି। ୧୯୮୮ମସିହାରେ ହୁସେନଙ୍କୁ ସମ୍ମାନଜନକ ପଦ୍ମଶ୍ରୀ, ୨୦୦୨ରେ ପଦ୍ମଭୂଷଣ ଏବଂ ୨୦୨୩ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ହୁସେନଙ୍କ ବିୟୋଗ କଳା ଓ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ସବୁରି ମହଲରେ ଶୋକର ଛାୟା ଖେଳିଯାଇଛି।