ସରକାରୀ ଚାକିରିଆଠୁ ଗୁପଚୁପ ବିକାଳୀଙ୍କ ଜୀବନ ଉନ୍ନତମାନର

ଟେକ୍ନୋଲୋଜି ବଢ଼ାଉଛି କାର୍ଯ୍ୟଭାର: ସରକାରୀ ଚାକିରି‌କୁ ତହସିଲଦାରଙ୍କ ଭର୍ତ୍ସନା

କର୍ଣ୍ଣାଟକ, ୧୬/୧୨: ଜଣେ ସରକାରୀ ଚାକିରି ଆଶାରେ କଲେଜ ଶିକ୍ଷା ଶେଷ କରିବା ପରେ ପ୍ରତାଯୋଗିତାମୂଳକ ପରୀକ୍ଷା ଦେଇଥାଏ। ପ୍ରତ୍ୟେକ ଥର ପରୀକ୍ଷା ଦେଇ ସାରିବାଠାରୁ ଆରମ୍ଭ କରି ରେଜଲ୍ଟ ବାହାରିବା ଓ ନିଯୁକ୍ତି ପ୍ରକ୍ରିୟା ପର୍ଯ୍ୟନ୍ତ ଜଣେ ସରକାରୀ ଚାକିରିରେ ଯୋଗଦାନକୁ ଚାତକ ପରି ଚାହିଁ ରହିଥାଏ। ସରକାରୀ ଚାକିରି ପରେ ଭବିଷ୍ୟତର ଚିନ୍ତା ନଥାଏ ବୋଲି କେହି ଭାବନ୍ତି। ହେଲେ ଏହାର ଓଲଟା ଭାବନା ଦେଖିବାକୁ ମିଳିଛି କର୍ଣ୍ଣାଟକର ଜଣେ ସରକାରୀ ଚାକିରିଆଙ୍କ ପାଖରେ। ଗୁପଚୁପ ବିକାଳୀଙ୍କ ଜୀବନ ସରକାରୀ ଚାକିରିଆଙ୍କଠୁ ଅତ୍ୟନ୍ତ ଭଲ ବୋଲି କହିଛନ୍ତି ଜଣେ ତହସିଲଦାର।

କର୍ଣ୍ଣାଟକର ଜଣେ ସରକାରୀ ଅଧିକାରୀ ସରକାରୀ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟକଳାପ ଏବଂ କର୍ମଚାରୀଙ୍କ ପ୍ରବଳ ଚାପ ବିରୋଧରେ ପ୍ରବଳ କ୍ରୋଧ ପ୍ରକାଶ କରିଛନ୍ତି। କର୍ଣାଟକର ତାଲୁକ ରାଜ୍ୟ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହୋଲେନାରସିପୁର ତହସିଲଦାର କେକେ କୃଷ୍ଣମୂର୍ତ୍ତି ଯୋଗ ଦେଇ କହିଛନ୍ତି, ସରକାରୀ ଚାକିରିଆଠୁ ଗୁପଚୁପ ବା କୋବି ମଞ୍ଚୁରିଆନ୍ ବିକାଳୀ ହେବା ଭଲ।

କୃଷ୍ଣମୂର୍ତ୍ତି କହିଛନ୍ତି ଯେ ଏହି ବିକାଳୀମାନେ ଚାପରୁ ମୁକ୍ତ ହୋଇ ଖୁସିରେ ଜୀବନ ଯାପନ କରନ୍ତି। ସେମାନେ ଛୁଟିରେ ଯାଇପାରିବେ, ଶାନ୍ତିରେ ଘରକୁ ଫେରିପାରିବେ ଏବଂ ନିଜ ଜୀବନକୁ ଉପଭୋଗ କରିପାରିବେ। ସେପଟେ ସରକାରୀ କର୍ମଚାରୀମାନେ ଲଗାତାର ଚାପର ସମ୍ମୁଖୀନ ହେଉଥିବା ବେଳେ ନିଜ ପରିବାରକୁ ମନ୍ଦିରକୁ ମଧ୍ୟ ଟିକେ ନେଇ ଯାଇ ପାରୁନାହାନ୍ତି।

ଟେକ୍ନୋଲୋଜି ଆମର କାର୍ଯ୍ୟଭାର ହ୍ରାସ କରିବା ପରିବର୍ତ୍ତେ ବଢ଼ାଇଛି। ବରିଷ୍ଠ ଅଧିକାରୀମାନେ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ କାମ ଉପରେ ନଜର ରଖି ସେହିଦିନ ହିଁ ରେଜଲ୍ଟ ମାଗିଥାନ୍ତି। ଅନେକ ସମୟରେ ଯଦି କାର୍ଯ୍ୟରେ ଟିକେ ବିଳମ୍ବ ହୋଇଯାଏ, ତାହାଲେ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହୋଇଥାଏ।

କାର୍ଯ୍ୟରେ ଚାପ ଯୋଗୁଁ ତହସିଲଦାର ଅଧିକାରୀଙ୍କ ସ୍ୱାସ୍ଥ୍ୟ ଉପରେ ବହୁ କୁପ୍ରଭାବ ପଡୁଛି। ରକ୍ତଚାପ, ମଧୁମେହ ଓ କିଡନୀ ଓ ଯକୃତ ରୋଗରେ ପୀଡିତ ହେଉଛନ୍ତି ଅଧିକାରୀ। ଅସହ୍ୟ ଚାପ ଯୋଗୁଁ ଅଧିକାରୀମାନେ ସ୍ୱେଚ୍ଛାକୃତ ଅବସର ମଧ୍ୟ ନେଉଛନ୍ତି ବୋଲି ସେ କହିଛନ୍ତି।