ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ଆକ୍ରମଣ ଘଟଣା
ସଂସଦ ପରିସରରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ବିକ୍ଷୋଭ ପ୍ରଦର୍ଶନ ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଧକ୍କାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି।
ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ନେତାଙ୍କ କଡ଼ା ନିନ୍ଦା
ନୂଆଦିଲ୍ଲୀ, ୧୯/୧୨: ବି.ଆର ଆମ୍ବେଦକରଙ୍କୁ ଅପମାନିତ କରିବା ଅଭିଯୋଗରେ ସଂସଦ ପରିସରରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ବିକ୍ଷୋଭ ପ୍ରଦର୍ଶନ ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଧକ୍କାରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି।
କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କୁ ଧକ୍କା ଦେଇଥିବା ଶ୍ରୀ ଷଡ଼ଙ୍ଗୀ ଅଭିଯୋଗ କରିଥିବା ବେଳେ ଅନ୍ୟପଟେ କଂଗ୍ରେସ ଦାବି କରିଛି ଯେ ସଂସଦର ମକର ଦ୍ୱାରରେ ବିଜେପି ସାଂସଦମାନେ ମଲ୍ଲିକାର୍ଜୁନ ଖଡଗେ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଠେଲି ଦେଇଥିଲେ।
ଏହି ଘଟଣା ପରେ ଶ୍ରୀ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସାଂସଦ ଜଣଙ୍କ ମୋ ଉପରେ ପଡ଼ିବାରୁ ମୁଁ ତଳେ ପଡ଼ି ଯିବାରୁ ମୋ ମୁଣ୍ଡରେ ଆଘାତ ଲାଗିଥିଲା।
ଷଡ଼ଙ୍ଗୀଙ୍କ ଅଭିଯୋଗର ଜବାବ ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ସଂସଦରେ ପ୍ରବେଶ କରିବାକୁ ଚାହୁଁଥିଲି। ଏହା ମୋର ଅଧିକାର। ବିଜେପି ସଦସ୍ୟମାନେ ମୋତେ ଭିତରକୁ ଯିବାରୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହା ହେଉଛି ପ୍ରବେଶ ଦ୍ୱାର ଏବଂ ଆମର ଭିତରକୁ ଯିବାର ଅଧିକାର ଅଛି। ଆମକୁ ସଂସଦ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ବୋଲି ଶ୍ରୀ ଗାନ୍ଧୀ କହିଛନ୍ତି।
ସଂସଦରେ ଦଳର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟର ବରିଷ୍ଠ ବିଜେପି ନେତାମାନେ ନିନ୍ଦା କରିବା ସହ ଏଭଳି ଗୁଣ୍ଡାଗର୍ଦ୍ଦି ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।
ସଂସଦ କାହାର ବ୍ୟକ୍ତିଗତ ଅଧିକାର ନୁହେଁ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଅହଂକାର ଓ ଦାୟିତ୍ୱହୀନ ଆଚରଣ ଦ୍ୱାରା ନିର୍ବାଚିତ ସାଂସଦଙ୍କୁ ଗୁରୁତର ଆହତ ଲାଗିବା ସହ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି।
ସଂସଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦାୟିତ୍ୱହୀନ ଓ ଆପତ୍ତିଜନକ ଆଚରଣ ଯୋଗୁଁ ଆହତ ହୋଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାହୁଲଙ୍କ ଏଭଳି କାର୍ଯ୍ୟ କେବେ ବି ଗ୍ରହଣୀୟ ନୁହେଁ ଏବଂ ଗଣତନ୍ତ୍ରର ପବିତ୍ର ଗୃହପ୍ରତି ଅପମାନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଏହା ଜଣେ ସୁସ୍ଥ ମନର ବ୍ୟକ୍ତିଙ୍କ କାର୍ଯ୍ୟ ନୁହେଁ। ଲୋକସଭାରେ ବିରୋଧୀ ଦଳ ନେତା ଏଭଳି କାର୍ଯ୍ୟ କରିବା ଦୁର୍ଭାଗ୍ୟଜନକ। ବାଲେଶ୍ୱର ସାଂସଦଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ବିରୋଧୀ ଦଳ ନେତାଙ୍କ ଏଭଳି ଆଚରଣ ଆଶ୍ଚର୍ଯ୍ୟଜନକ ଏବଂ ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ।
ସେହିପରି କଟକ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଘୃଣ୍ୟ। ବାଚସ୍ପତି ସର୍ବଦା କହୁଛନ୍ତି ଯେ ସଂସଦର ମକର ଦ୍ୱାରରେ ବିକ୍ଷୋଭ କରାଯିବା ଉଚିତ ନୁହେଁ। କିନ୍ତୁ ସେମାନେ ଯେଉଁଭଳି ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏବଂ କାହାକୁ ସଂସଦ ଭିତରକୁ ପ୍ରବେଶ କରିବାକୁ ଦେଉନାହାନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଡାକ୍ତରଙ୍କ ସହ ମୋର ଆଲୋଚନା ହୋଇଛି। ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯିବ। ତାଙ୍କ ରକ୍ତଚାପ ଅଧିକ ଥିବା ବେଳେ ବାମ ଆଖିରେ ଆଘାତ ଲାଗିଛି।