କଂଗ୍ରେସ ଦଳ ‘ମିଥ୍ୟାର ଗନ୍ତାଘର’: ଧର୍ମେନ୍ଦ୍ର ପ୍ରଧାନ

• ଆମ୍ବେଦକରଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୋଦୀ ସରକାର ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି • ଦଳିତ ଓ ପଛୁଆ ସମାଜ ଦ୍ୱାରା ହୋଇଥିବା ପ୍ରତ୍ୟାଖ୍ୟାନର ହତାଶା ଭାବ ଯୋଗୁଁ କଂଗ୍ରେସ ଏପରି ହୀନ ମନ୍ତବ୍ୟ ଦେଉଛି • ଆମ୍ବେଦକରଙ୍କୁ ସଂସଦରେ ପହଞ୍ଚାଇ ନଦେବା ପାଇଁ ଚେଷ୍ଟା କରିଥିଲା କଂଗ୍ରେସ • ଆମ୍ବେଦକରଙ୍କୁ ଭାରତରତ୍ନ ନ ଦେବା ପାଇଁ କିଏ ଷଡଯନ୍ତ୍ର କରିଥିଲା ? • କଂଗ୍ରେସର ପ୍ରକୃତ ମୁଖା ଦେଶବାସୀଙ୍କ ସାମ୍ନାରେ ଖୋଲିସାରିଛି

ଘୃଣ୍ୟ ମାନସିକତା ପାଇଁ କଂଗ୍ରେସ ଦେଶବାସୀଙ୍କୁ କ୍ଷମା ମାଗୁ

ନୂଆଦିଲ୍ଲୀ, ୧୮/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ବାବାସାହେବ ଆମ୍ବେଦକରଙ୍କ ପାଇଁ କଂଗ୍ରେସ କରିଥିବା ଷଡ଼ଯନ୍ତ୍ରର ବାସ୍ତବ ତଥ୍ୟକୁ ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି । ଏ ପ୍ରସଙ୍ଗରେ କଂଗ୍ରେସ ପାଖରେ ତଥ୍ୟଭିତ୍ତିକ ଜବାବ ନଥିବା କାରଣରୁ ଜାଣିଶୁଣି ଗୃହମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ଏହି କାମରେ ସେମାନେ କେବେ ବି ସଫଳ ହେବେ ନାହିଁ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ସରକାର ବିଗତ ଏକ ଦଶନ୍ଧି ଧରି ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା, ଏସସି/ଏସଟି ଆଇନକୁ ମଜବୁତ୍ କରିବା ସହ ସ୍ୱଚ୍ଛ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ଜୀବନ ମିଶନ, ଉଜ୍ଜ୍ୱଳା ଯୋଜନା ଭଳି ଆମ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକ ଗରିବ ଓ ଅବହେଳିତଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ତେବେ କ୍ରମାଗତ ପରାଜୟ ଏବଂ ଦେଶର ଦଳିତ ଓ ପଛୁଆ ସମାଜ ଦ୍ୱାରା ହୋଇଥିବା ପ୍ରତ୍ୟାଖ୍ୟାନର ହତାଶା ଭାବ ଯୋଗୁଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ‘ମିଥ୍ୟାର ଗନ୍ତାଘର’ ଭାବରେ ପରିଣତ ହୋଇଛି । କଂଗ୍ରେସ ଏବେ ନିଜ ହିସାବରେ ଭିଡିଓ ଏଡିଟ୍ କରି ଦେଶବାସୀଙ୍କୁ ଠକିବାର କାମ କରୁଛି ।

ଦେଶର ଦଳିତ ଓ ପଛୁଆ ସମାଜ କଂଗ୍ରେସର ଏହି ଦଳିତ ଓ ପଛୁଆ ବିରୋଧୀ କାର୍ଯ୍ୟ ବିଷୟରେ ବେଶ୍ ଅବଗତ ଅଛନ୍ତି । ବାବାସାହେବ ଆମ୍ବେଦକରଙ୍କୁ ସଂସଦରେ ନପହଞ୍ଚାଇବା ପାଇଁ ଚେଷ୍ଟା କରିଥିବା, ଭାରତରତ୍ନ ନଦେବା ପାଇଁ ଷଡଯନ୍ତ୍ର କରିଥିବା  ଏକ ପରିବାର ଓ କଂଗ୍ରେସ ନିଜର ଏହି ଅପରାଧକୁ କେବେ ବି ଲୁଚାଇପାରିବ ନାହିଁ । ସେମାନଙ୍କ ପ୍ରକୃତ ମୁଖା ଦେଶବାସୀଙ୍କ ସାମ୍ନାରେ ଖୋଲିସାରିଛି । ବାବାସାହେବଙ୍କ ପ୍ରତି ଘୃଣ୍ୟ ମାନସିକତା ପାଇଁ କଂଗ୍ରେସ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର ବୋଲି ସେ ମତପ୍ରକାଶ କରିଛନ୍ତି ।