ବ୍ୟାଗ ରାଜନୀତି: ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ‘୧୯୮୪’ ବ୍ୟାଗ ଗିଫ୍ଟ
ଲୋକସଭା ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ '୧୯୮୪' ଲେଖା ଥିବା ଏକ ବ୍ୟାଗ ଦେଇଛନ୍ତି ଅପରାଜିତା।
ଖୁସିରେ ଗ୍ରହଣ କଲେ ପ୍ରିୟଙ୍କା
ନୂଆଦିଲ୍ଲୀ, ୨୦/୧୨: ବର୍ତ୍ତମାନ ବ୍ୟାଗକୁ ନେଇ ଚର୍ଚ୍ଚାରେ ରହିଥିବା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କୁ ଏକ ବ୍ୟାଗ ଉପହାର ଦେଇଛନ୍ତି ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ‘୧୯୮୪’ ଲେଖା ଥିବା ଏକ ବ୍ୟାଗ ଦେଇଛନ୍ତି ଅପରାଜିତା। ଏହି ବ୍ୟାଗକୁ ମଧ୍ୟ ଖୁସିରେ ଗ୍ରହଣ କରିଛନ୍ତି ସାଂସଦ ପ୍ରିୟଙ୍କା ଗାନ୍ଧୀ।
ପାଲେଷ୍ଟାଇନ ଓ ବାଂଲାଦେଶ ଦେଶରେ ଉପୁଜିଥିବା ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବ୍ୟାଗ୍ ଧରି ସଂସଦକୁ ଆସନ୍ତି ପ୍ରିୟଙ୍କା ଗାନ୍ଧୀ। ସେହିପରି ଆଦାନୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୌତମ ଆଦାନୀଙ୍କ ଏକ ଯୋଡ଼ି ଫଟୋର ବ୍ୟାଗ ଧରିଥିଲେ ପ୍ରିୟଙ୍କା। ଏ ନେଇ ଗତ କିଛି ଦିନ ଧରି ବ୍ୟାଗକୁ ନେଇ ରାଜନୀତି ମଧ୍ୟ ଜୋରସୋର ହେଉଛି।
ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ୍ ଅଙ୍ଗରକ୍ଷୀମାନେ ହତ୍ୟା କରିବା ପରେ ୧୯୮୪ମସିହାରେ ଶିଖମାନଙ୍କ ବିରୋଧରେ ବ୍ୟାପକ ଦଙ୍ଗା ସୃଷ୍ଟି ହୋଇଥିଲା। ଯେଉଁଥିରେ ଶିଖ ସମ୍ପ୍ରଦାୟର ୨୭୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ତଦନ୍ତ ପରେ ଏଥି ପାଇଁ ବହୁ କଂଗ୍ରେସ ନେତା ଦାୟୀ ଥିବାର ଜଣା ପଡ଼ିଥିଲା। ଶିଖ୍ ମାନଙ୍କ ପାଇଁ ସେହି କଳାଦିନକୁ ମନେ ପକାଇ ବ୍ୟାଗରେ ‘୧୯୮୪’ ଲେଖା ଥିବା ଏକ ବ୍ୟାଗ ଦେଇଛନ୍ତି ଅପରାଜିତା। ଏହି ବ୍ୟାଗକୁ ପ୍ରିୟଙ୍କା ଖୁସିରେ ଗ୍ରହଣ କରିଥିବାର ନଜର ଆସିଛନ୍ତି।