ଭିଜିଲାନ୍ସ ଜାଲରେ ଫସି କାନ୍ଦିଲେ ବୟନଶିଳ୍ପ ଅଧିକାରୀ

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ବୟନଶିଳ୍ପ ଅଧିକାରୀ।

ଭିଜିଲାନ୍ସର ପ୍ରଶ୍ନବାଣରେ ଘାଇଲା ଅଧିକାରୀ

ବୌଦ୍ଧ,୨୦/୧୨: ଭିଜିଲାନ୍ସ ଜାଲରେ ଫସିଛନ୍ତି ବୟନଶିଳ୍ପ ଅଧିକାରୀ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରି‌ ପକାଇବା ପରେ କାନ୍ଦି କାନ୍ଦି ଗଡିଛନ୍ତି ଦୁଇ ଜଣ ବୟନଶିଳ୍ପ ନିରୀକ୍ଷକ କୃଷ୍ଣଚନ୍ଦ୍ର ସାହୁ ଓ ଅଦିତ କୁମାର ଦାସ।

ବୌଦ୍ଧ ବାଉଁଶୁଣୀ ବୈଦ୍ୟନାଥପୁର ଗଜାନନ ତନ୍ତ ସମବାୟ ସମିତିର ୧୩ ଲକ୍ଷ ୩୧ ହଜାର ଟଙ୍କାର ବିଲ୍ କରିବା ପାଇଁ ଏହି ଦୁଇ ଅଧିକାରୀ ଲାଞ୍ଚ ମାଗିଥିଲେ। ସମବାୟ ସମିତିର‌ ସମ୍ପାଦକ ପଞ୍ଚାନନ ମେହେରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଲାଞ୍ଚ ଟଙ୍କା ନେବା ସମୟରେ ହିଁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ଏହା ପରେ ଭିଜିଲାନ୍ସ ଦ୍ୱାରା ସେମାନେ ରହୁଥିବା ଭଡ଼ା ଘରେ ଚଢ଼ାଉ କରାଯାଇଛି।

ଭିଜିଲାନ୍ସକୁ ପୂର୍ବରୁ ଆଭାସ ମିଳିଥିଲା ଯେ, ଏଠାରେ ଆର୍ଥିକ ଅନିୟମିତତା କାରବାର ଚାଲିଛି। ସୂଚନା ପାଇବା‌ ପରେ ଭିଜିଲାନ୍ସର ଏହି ଅତର୍କିତ ଚଢ଼ାଉ ପରେ ଚକିତ ହୋଇ ଯାଇଥିଲେ ବୟନଶିଳ୍ପ ଅଧିକାରୀ। ଭିଜିଲାନ୍ସ ଟିମର ପ୍ରଶ୍ନବାଣରେ କିଛି ଉତ୍ତର ନ ଦେଇ ପାରି ନିରୁପାୟ ହୋଇ ଭିଜିଲାନ୍ସ ସାମ୍ନାରେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଅଧିକାରୀଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।