ଭୁବନେଶ୍ୱର, ୨୧/୧୨: ଚାଷୀ ମୁଣ୍ଡରେ ଚଡ଼କ ସାଜିଲା ଅଦିନିଆ ବର୍ଷା। ଚାଷୀଙ୍କ ଉପରେ ଦାଉ ସାଧୁଛି ଲଘୁଚାପଜନିତ ବର୍ଷା। ଗଲା ଦୁଇ ଦିନ ଧରି ଲଘୁଚାପ ଯୋଗୁଁ ହେଉଥିବା ବର୍ଷା ପ୍ରଭାବରେ ଫସଲ ଉଜୁଡି ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ବର୍ଷାରୁ ବଞ୍ଚାଇବା ପାଇଁ ପାଚିଲା ଧାନକୁ କାଟି ନେଇଥିବା ଧାନ ବି ଭିଜିଛି ବର୍ଷାରେ। ଆଉ କିଛି ଦିନ ପରେ ଅମଳ ହୋଇଥାନ୍ତା ଧାନ। ହେଲେ ଏହା ପୂର୍ବରୁ ଏ ଅଦିନିଆ ବର୍ଷା ସମ୍ପୂର୍ଣ୍ଣ ଫସଲ ଉଜାଡ଼ି ଦେଇଛି। ଯେଉଁମାନେ ଧାନ କାଟି ସୁରକ୍ଷିତ ସ୍ଥାନରେ ରଖିଛନ୍ତି, ସେମାନଙ୍କୁ ଚିନ୍ତା ନାହିଁ। ହେଲେ ଯେଉଁମାନେ ଧାନ କାଟି ବିଲରେ ରଖିଛନ୍ତି ସେଥିରେ ପାଲ ଘୋଡାଇଲେ ମଧ୍ୟ ବର୍ଷା ଦାଉରୁ ତାକୁ ରକ୍ଷା କରା ଯାଇପାରିନାହିଁ। ସେପଟେ କେତେକ ଜିଲ୍ଲାରେ ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲି ନଥିବା ବେଳେ କିଭଳି ଏହି ଧାନର ମାନ ପରୀକ୍ଷଣ କରାଯାଇ ମଣ୍ଡିରେ ନେଇ ଧାନ ଦେବେ, ତାକୁ ନେଇ ଦ୍ବନ୍ଦରେ ଚାଷୀ। ଫସଲ ଉଜୁଡିବା ପରେ ଚାଷୀମାନେ କିପରି କରଜ ଶୁଝିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଭଲ ଅମଳ ହୋଇଥିଲେ, ଭଲରେ ବିକ୍ରି କରି ସେହି ଟଙ୍କାରେ କରଜ ଶୁଝିଥାନ୍ତେ ବୋଲି ଭାବିଥିଲେ ଚାଷୀ। କେବଳ ଧାନ ନୁହେଁ, ବରଂ ପନିପରିବା ଚାଷ କରିଥିବା ଚାଷୀ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। କାରଣ ଦୁଇରୁ ଅଧିକ ଦିନ ଧରି କୋହଲା ପାଗ ରହିବା ଦ୍ୱାରା ପରିପରିବାରେ ପୋକ ଲାଗିବା ସମ୍ଭାବନା ରହିଛି। ସେହିପରି ଆଜି ଦିନ ସାରା ଲଗାଣ ବର୍ଷା ହୋଇଛି। ଯଦି ଏଭଳି ସ୍ଥିତିରେ ଆଉ ଦିନେ କି ଦୁଇ ଦିନ ଏମିତି ବର୍ଷା ହୁଏ, ତେବେ ନିଜର ବଞ୍ଚିବାର ସାହାରା ମଧ୍ୟ ଭାସିଯିବ ବୋଲି ଚାଷୀକୂଳ କହିଛନ୍ତି।