ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ବିଧାୟକ ଜୟନାରାୟଣ ମିଶ୍ର।
ଚଳିତ ମାସରେ ଶାହଙ୍କ ଦ୍ୱିତୀୟ ଗସ୍ତ
ଭୁବନେଶ୍ୱର, ୨୧/୧୨: ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସିବାକୁ ଯାଉଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ସପ୍ତାହରେ ଓଡ଼ିଶା ଆସି ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହ। ଏ ନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର।
ଡିସେମ୍ବର ୨୮ରେ ଶାହ ସମ୍ବଲପୁର ଆସି ପ୍ରଥମେ ସମଲେଶ୍ୱରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ। ଏହା ପରେ ଗଙ୍ଗାଧର ମେହେର ମହାବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ରେ ଏକ ସୁପର ସ୍ପେସିଆଲିଟି ବିଲ୍ଡିଂର ଉଦଘାଟନ କରିବେ। ଏହା ସହ ସମ୍ବଲପୁରରେ ଏକ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି।