ଛତିଶଗଡ଼ରୁ ଗିରଫ ମାଓ ସଂଗଠନର ଶୀର୍ଷ ନେତା

ପୋଲିସକୁ ମିଳିଲା ବଡ଼ ସଫଳତା

ମୁଣ୍ଡ ଉପରେ‌ ଥିଲା ୨୫ ଲକ୍ଷର ପୁରସ୍କାର

ଭୁବନେଶ୍ୱର, ୨୪/୧୨: ଓଡ଼ିଶାର ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରୁ ମାଓ ସଂଗଠନର ଶୀର୍ଷ ନେତା ପ୍ରଭାକର ରାଓ ଓରଫ ବାଲମୁରି ନାରାୟଣ ରାଓଙ୍କୁ ଗିରଫ କରିଛି ପୋଲିସ। ଦୁର୍ଦ୍ଦାନ୍ତ ମାଓ ନେତା ପ୍ରଭାକର ରାଓର ଗିରଫ ପୋଲିସ ପାଇଁ ଏକ ବଡ଼ ସଫଳତା। ପ୍ରଭାକର ଗିରଫ ହେବା ପରେ ଅନେକ ମାଓ କାର୍ଯ୍ୟକଳାପ ସଂକ୍ରାନ୍ତରେ ପୋଲିସକୁ ବହୁତ କିଛି ସୁରାକ ମିଳିପାରେ ବୋଲି ଆଶା କରାଯାଉଛି।

୫୭ ବର୍ଷୀୟ ପ୍ରଭାକର ରାଓ ଦୀର୍ଘ ୪୦ ବର୍ଷ ଧରି ନକ୍ସଲ ସଂଗଠନ ସହ ଜଡ଼ିତ ଥିଲେ। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଓ ମଧ୍ୟପ୍ରଦେଶରେ ତା’ର ମାଓ ଆଡ୍ଡା ବିସ୍ତାର କରି ଚାଲିଥିଲେ। ତାଙ୍କ ପତ୍ନୀ ରାଜେ କାଙ୍ଗା ମଧ୍ୟ ଜଣେ ମାଓ ନେତ୍ରୀ।

ଓଡ଼ିଶା ସମେତ ସୀମାନ୍ତବର୍ତ୍ତୀ ରାଜ୍ୟ ଗୁଡ଼ିକରେ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏବେ ମାଓବାଦୀଙ୍କ ମୂଳୋତ୍ପାଟନ କରିବା ସୁରକ୍ଷାବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ସେପଟେ ପ୍ରଭାକର ରାଓଙ୍କୁ ଧରା ପକାଇବା ପାଇଁ ତାଙ୍କ ଉପରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଗତ ୨୨ରେ ଅନ୍ତଗଡ଼ ଥାନା ଅଞ୍ଚଳରେ ଅବରୋଧ ଅଭିଯାନ କରାଯାଇ ରାଓଙ୍କୁ ଗିରଫ କରାଯାଇଥିଲା।