ରାସ୍ତାରୁ ହଟିବେ ଉଠା ଦୋକାନୀ

ପଞ୍ଜୀକୃତ ଦୋକାନୀଙ୍କୁ ମିଳିବ ଭେଣ୍ଡିଂ ଜୋନ

ଭୁବନେଶ୍ୱର, ୨୪/୧୨: ରାସ୍ତାରୁ ହଟିବେ ବିଏମସି ଅଧୀନରେ ପଞ୍ଜୀକୃତ ହୋଇନଥିବା ଉଠା ଦୋକାନୀ। ଭୁବନେଶ୍ୱରରେ ଅଣପଞ୍ଜୀକୃତ ଦୋକାନୀଙ୍କୁ ରାସ୍ତା କଡ଼ରେ ଦୋକାନ ଖୋଲିବାକୁ ବାରଣ କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ। ଭୁବନେଶ୍ୱରର ପାଖାପାଖି ୫୫ଟି ରାସ୍ତାରେ ଅସ୍ଥାୟୀ ଦୋକାନକୁ ହଟାଯିବ। ମଙ୍ଗଳବାର ଏକ ସମୂହ ସଫେଇ କାର୍ଯ୍ୟକ୍ରମରେ ରାସ୍ତା କଡ଼ରେ ଦୋକାନ ଥିବା ଦେଖି ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି।

ବାରମ୍ବାର ଚେତାବନୀ ସତ୍ତ୍ୱେ ଅଣପଞ୍ଜୀକୃତ ଦୋକାନୀ ମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ସେମାନଙ୍କ ଷ୍ଟଲ୍ ଖୋଲିଛନ୍ତି। ଯେଉଁମାନେ ବିଏମସି ଅଧୀନରେ ପଞ୍ଜୀକୃତ କରିଥିବେ, ସେମାନଙ୍କୁ ସ୍ଥାୟୀ ଭେଣ୍ଡିଂ ଜୋନ ଦିଆଯିବ। ଏହା ସହ ଦୋକାନୀ ମାନେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବାକୁ ମେୟର କହିଛନ୍ତି।