୩୫୦ ଫୁଟ ତଳକୁ ଖସିଲା ସେନା ଗାଡ଼ି

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ବଡ଼ ଅଘଟଣ‌ ଘଟିଛି।

୫ ଯବାନ ସହିଦ, ଅନେକ ଗୁରୁତର

ନୂଆଦିଲ୍ଲୀ, ୨୪/୧୨: ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ମେନ୍ଧରର ବାଲନୋଇ ଅଞ୍ଚଳରେ ମଙ୍ଗଳବାର ଭାରତୀୟ ଯବାନଙ୍କୁ ନେଇ ଯାଉଥିବା ସେନାର ଏକ ଗାଡ଼ି ଭାରସାମ୍ୟ ହରାଇ ଘାଟିକୁ ଖସି ପଡ଼ିବାରୁ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

୧୧ ମାଡ୍ରାସ ଲାଇଟ୍ ଇନ୍ଫେଣ୍ଟରି (୧୧ ଏମ୍ଏଲ୍ଆଇ)ର ଗାଡ଼ିଟି ନୀଳମ ମୁଖ୍ୟାଳୟରୁ ବାଲନୋଇ ଘୋରା ପୋଷ୍ଟ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଗାଡିଟି ପ୍ରାୟ ୩୫୦ ଫୁଟ ତଳକୁ ଖସି ପଡ଼ିଥିଲା ବୋଲି ସୂଚନା ମିଳିଛି। ଗାଡ଼ିରେ ୧୦ ଜଣ ଯବାନ ଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ୧୧ ଏମ୍ଏଲ୍ଆଇର କ୍ୱିକ୍ ରିଆକ୍ସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଗୁରୁତର ଆହତ ଯବାନମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯାଇଥିବା ବେଳେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ସ୍ଥାନାନ୍ତର କରିବାକୁ ଉଦ୍ୟମ ଜାରି ରହିଛି।