୧୮ତମ ପ୍ରବାସୀ ଭାରତୀୟ ଦିସସ ଆୟୋଜନର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
ସମୀକ୍ଷା ବୈଠକରେ ବିଧାୟକ, ମେୟର, ତିନି ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ
ଭୁବନେଶ୍ୱର, ୨୪/୧୨: ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଛି। ଏହି ବୈଠକରେ ବିଏମସି କମିସନର , ବିଧାୟକ, ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାକ୍ତର ମହାପାତ୍ର କହିଛନ୍ତି ଯେ ୯ ଜାନୁୟାରୀ ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ମହାତ୍ମା ଗାନ୍ଧୀଙ୍କ ଭାରତ ଫେରିବାକୁ ଏହି ଦିବସ ସ୍ମରଣ କରିଥାଏ । ଏହି ଦିନକୁ ପାଳନ କରିବାପାଇଁ ୨୦୦୩ରେ ପ୍ରବାସୀ ଭାରତୀୟ ଦିବସ ପାଳନ କରିବାର ପରମ୍ପରା ଆରମ୍ଭ କରାଯାଇଥିଲା । ଭାରତର ବିକାଶ ପାଇଁ ବିଦେଶୀ ଭାରତୀୟ ସମ୍ପ୍ରଦାୟର ସହଭାଗିତା ଏହି ଆୟୋଜନର ମୂଳ ଉଦ୍ଦେଶ୍ୟ । ତେବେ ୨୦୧୫ ଠାରୁ ସଂଶୋଧିତ ଫର୍ମାଟରେ ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଛି । ଆମେ ଗର୍ବିତ ଯେ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ବିଭିନ୍ନ ଆର୍ନ୍ତଜାତୀୟ ଦେଶ ଗସ୍ତ ସମୟରେ ସେ ଦେଶବାସୀଙ୍କୁ ଓଡିଶା ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଛନ୍ତି । କୁଏତ ଗସ୍ତର ସଦ୍ୟତମ ଉଦାହରଣ ଯେଉଁଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗଞ୍ଜାମର ଜଣେ ଯୁବକଙ୍କ ସହିତ ଆଲୋଚନା କରିଥିଲେ ଏବଂ ଭୁବନେଶ୍ବର ଠାରେ ଆୟୋଜିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ସର୍ବଭାରତୀୟ ସ୍ତରରେ ଓଡିଶାର ସଂସ୍କୃତି ଓଐତିହ୍ୟ ପ୍ରଦର୍ଶନ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ସମସ୍ତଙ୍କ ମିଳିତ ପ୍ରୟାସରେ ଏହା ସଫଳ କରି ଆମ ରାଜ୍ୟକୁ ବିଶ୍ବସ୍ତରରେ ଗର୍ବିତ କରାଇ ପାରିବା । ଜାନୁଆରୀ ୮ ,୯,୧୦ ତିନି ଦିନ ଧରି ଚାଲିବ ପ୍ରବାସୀ ଭାରତୀୟ ଦିବସ। ପୂର୍ବରୁ ଇନ୍ଦୋର ଓ ବାରଣାସୀ ଅନୁଷ୍ଠିତ ହେଇଥିଲା ପ୍ରବାସୀ ଭାରତୀୟ ଦିବସ। ଉଦଘାଟନରେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଦ୍ୱିତୀୟ ଦିନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉଦଯାପନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯୋଗଦେବେ ।
ଓଡ଼ିଶା ସରକାରଙ୍କ ଗୃହ ବିଭାଗ, ପର୍ଯ୍ୟଟନ ବିଭାଗ ପୂରା ପ୍ରସ୍ତୁତିରେ ଲାଗିପଡିଛନ୍ତି । କଟକ, ପୁରୀ, ଭୁବନେଶ୍ବର ଓ କୋଣାର୍କ ପର୍ଯ୍ୟଟନ କ୍ଷେତ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ୧୪୦ ଦେଶର ଅତିଥି ଓ ପାଞ୍ଚ ହଜାରରୁ ସାତ ହଜାର ପ୍ରବାସୀ ଭାରତୀୟ ଯୋଗ ଦେବେ। ଅନ୍ୟ ଦେଶରୁ ଆସୁଥିବା ଅତିଥି ଓ ପ୍ରବାସୀ ଭାରତୀୟ ପାଇଁ ହୋଟେଲ, ଆଇବି, ଗେଷ୍ଟ ହାଉସ ବୁକିଂ ଚାଲିଛି । ଓଡ଼ିଶାର ସଂସ୍କୃତି, ପରମ୍ପରା ଐତିହ୍ୟ ବିଷୟରେ ସମସ୍ତେ ଜାଣିବେ । ଏ ନେଇ ସବୁ ପ୍ରକାର ବ୍ୟବସ୍ଥା କରୁଛି ପର୍ଯ୍ୟଟନ ବିଭାଗ । ଯିବା ଆସିବା ପାଇଁ କ୍ରୁଟ ପକ୍ଷରୁ ୫୦ ଟି ନୁଆ ବସ ଓ ୫ଟି ଡବଲ ଡେକର ବସ ଚାଲିବ । ଓଡ଼ିଶା ପୋଲିସ ସୁରକ୍ଷାକୁ କଡ଼ାକଡି କରିଛି । କିଛିଦିନ ପୁର୍ବରୁ ଡ଼ିଜି, ଆଜି ସମ୍ମିଳନୀ ରେ ଆମେ ବେଶ ସଫଳତା ପାଇଛୁ । ଭୁବନେଶ୍ଵରକୁ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟ କରାଯାଇଅଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ପ୍ରାରମ୍ଭରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭୁବନେଶ୍ବର, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଏ ନେଇ ପ୍ରସ୍ତୁତି କାର୍ଯ୍ୟର ନିୟମିତ ସମୀକ୍ଷା କରିବା ସହିତ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ଖାରବେଳ ଭବନ ଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ବାବୁ ସିଂ, ବିଧାୟିକା ସୋଫିଆ ଫିର୍ଦ୍ଦୋସ, ମେୟର ସୁଲୋଚନା ଦାସ, କମିଶନର, ବିଏମସି, ରାଜେଶ ପ୍ରଭାକର ପାଟିଲ, ଭିସି ବିଡିଏ ତିରୁମାଳା ନାଏକ, ପର୍ଯ୍ୟଟନ ନିର୍ଦେଶକ, ସଂସ୍କୃତି ବିଭାଗ ନିର୍ଦେଶକ, ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାପାଳଙ୍କ ସେମତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।